ସିବିଆଇ ହାଜତକୁ ଗଲେ କବିତା

ଆପ୍‌ ନେତାଙ୍କ ତରଫରୁ ବିଜୟ ନାୟାର ନେଇଥିଲେ ୧୦୦ କୋଟି: ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ବିଆର୍‌ଏସ୍ ନେତ୍ରୀ କେ କବିତାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ତିନିଦିନିଆ ହେପାଜତକୁ ପଠାଇ ଦେଇଛନ୍ତି। ଗିରଫ କରି କବିତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି। ମଦ ନୀତି ମାମଲାରେ କବିତାଙ୍କୁ ରିମାଣ୍ଡରେ ନେବାକୁ ଚାହୁଥିବା ସିବିଆଇ ଶୁକ୍ରବାର ଦିଲ୍ଲୀ କୋର୍ଟରେ ଦାବି କରିଥିଲା ଯେ ତଦନ୍ତ ସମୟରେ ଜଣେ ମଦ ବ୍ୟବସାୟୀଙ୍କଠାରୁ ୧୦୦ କୋଟି ଟଙ୍କା ଲାଞ୍ଚ ଆଦାୟ ଷଡ଼ଯନ୍ତ୍ରରେ ତାଙ୍କର ଭୂମିକା ପଦାକୁ ଆସିଥିଲା। ଏଜେନ୍ସି ଅଭିଯୋଗ କରିଛି ଯେ, ଦକ୍ଷିଣର ଜଣେ ବ୍ୟବସାୟୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସମର୍ଥନ ମାଗିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ ଯେ କେ କବିତା ତାଙ୍କ ସହ ଯୋଗାଯୋଗ କରିବେ। ଏହା ବଦଳରେ କେଜ୍ରିଵାଲ ତାଙ୍କୁ ପାଣ୍ଠି ମାଗିଥିଲେ।

ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ତିହାର ଜେଲରେ ଥିବା କବିତାଙ୍କୁ ଗୁରୁବାର ସିବିଆଇ ଗିରଫ କରିଥିଲା। ସିବିଆଇ ଆହୁରି ଦାବି କରିଛି ଯେ କେ କବିତା ସେତେବେଳେ ସେହି ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ହାଇଦ୍ରାବାଦରେ ସାକ୍ଷାତ୍ କରିବାକୁ କହିଥିଲେ। ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ୍ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ ବିଜୟ ନାୟାର ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆପ୍‌ର ମିଡିଆ ସଂଯୋଜକ ଥିବା ନାୟାର ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ। ଏଜେନ୍ସି ଆହୁରି ଅଭିଯୋଗ କରିଛି ଯେ କବିତା ବ୍ୟବସାୟୀଙ୍କୁ ୧୦୦ କୋଟି ଟଙ୍କାର ଅଗ୍ରିମ ଅର୍ଥ ବ୍ୟବସ୍ଥା କରିବାକୁ କହିଥିଲେ। ସିବିଆଇ କହିଛି ଯେ ଅନ୍ୟତମ ଅଭିଯୁକ୍ତ ବିଜୟ ନାୟାର ଆପ୍ ନେତାଙ୍କ ତରଫରୁ ସାଉଥ୍ ଗ୍ରୁପ୍ (ଶରତ ରେଡ୍ଡୀ, କବିତା, ମାଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ଦ୍ୱାରା ନିୟନ୍ତ୍ରିତ) ନାମକ ଏକ ଗୋଷ୍ଠୀଠାରୁ ଅତି କମ୍‌ରେ ୧୦୦ କୋଟି ଟଙ୍କା ଲାଞ୍ଚ ନେଇଥିଲେ। ନିକଟରେ ତିହାର ଜେଲ୍ ଭିତରେ କବିତାଙ୍କୁ ପଚରାଉଚରା କରିଥିବା ସିବିଆଇ, କୋର୍ଟଙ୍କୁ କହିଛି ଯେ ସେ ତଦନ୍ତରେ ସହଯୋଗ କରୁନାହାନ୍ତି।

ସମ୍ବନ୍ଧିତ ଖବର