ନୂଆଦିଲ୍ଲୀ: ବୋଫର୍ସ ମାମଲାରେ ଘରୋଇ ଗୁପ୍ତଚର ମାଇକେଲ ହର୍ଶମ୍ୟାନଙ୍କ ଠାରୁ ତଥ୍ୟ ମାଗିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଖୁବ୍ ଶୀଘ୍ର ଆମେରିକାକୁ ଏକ ନ୍ୟାୟିକ ଅନୁରୋଧ ପଠାଇବ। ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ୧୯୮୦ ଦଶକର ୬୪ କୋଟି ଟଙ୍କାର ବୋଫର୍ସ ଲାଞ୍ଚ ଦୁର୍ନୀତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାରତୀୟ ଏଜେନ୍ସିମାନଙ୍କୁ ଦେବାକୁ ହର୍ଶମ୍ୟାନ୍ ଇଚ୍ଛା ପ୍ରକାଶ କରିଥିଲେ। ଏହି ମାମଲାର ଅଧିକ ତଦନ୍ତ ପାଇଁ ସିବିଆଇ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରୁଥିବା ସ୍ୱତନ୍ତ୍ର ଅଦାଲତଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି।
ଏହି ଲାଞ୍ଚ ମାମଲାର ଅଧିକ ତଦନ୍ତ ପାଇଁ ସୂଚନା ପାଇବା ଉଦ୍ଦେଶ୍ୟରେ ଆମେରିକାକୁ ଆନୁଷ୍ଠାନିକ ଅନୁରୋଧ ପଠାଇବାକୁ ଚଳିତ ବର୍ଷ ଅକ୍ଟୋବର ମାସରେ ଲେଟର ରୋଗେଟରୀ (ଏଲଆର) ( ଅନୁରୋଧ ପତ୍ର) ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହି ପ୍ରକ୍ରିୟା ପ୍ରାୟ ୯୦ ଦିନ ସମୟ ଲାଗିପାରେ । ଏହି ଚିଠି ଏକ ଲିଖିତ ଅନୁରୋଧ ଯାହା ଏକ ଦେଶର ଅଦାଲତ ଦ୍ଵାରା ଅନ୍ୟ ଦେଶର ଅଦାଲତକୁ ଅପରାଧିକ ମାମଲାର ତଦନ୍ତ କିମ୍ବା ଅଭିଯାନରେ ସହାୟତା ପାଇବା ପାଇଁ ପଠାଯାଏ ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ୨୦୦୪ରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଦୋଷମୁକ୍ତ କରିଥିଲେ। ବର୍ଷକ ପରେ ସେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଏହି ମାମଲାରେ ହିନ୍ଦୁଜା ଭାଇଙ୍କ ସମେତ ଅବଶିଷ୍ଟ ଅଭିଯୁକ୍ତଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖାରଜ କରିଦେଇଥିଲେ। ୨୦୧୧ରେ ଲାଞ୍ଚ ମାମଲାରେ ଇଟାଲୀର ବ୍ୟବସାୟୀ ଓଟାଭିଓ କ୍ୱାଟ୍ରୋଚିଙ୍କୁ କୋର୍ଟ ଦୋଷମୁକ୍ତ କରିଥିଲେ। କୋର୍ଟ ସିବିଆଇକୁ ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଅନୁମତି ଦେଇଥିଲେ।
ସୂଚନାଯୋଗ୍ୟ, ୧୯୮୦ ଦଶକରେ ତତ୍କାଳୀନ କଂଗ୍ରେସ ସରକାର ସମୟରେ ସ୍ୱିଡେନ କମ୍ପାନି ବୋଫର୍ସ ସହ ହୋଇଥିବା ୧୪୩୭ କୋଟି ଟଙ୍କାର ଚୁକ୍ତିରେ ୬୪ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ସହ ଏହି ମାମଲା ଜଡ଼ିତ। ୪୦୦ ହୋଭିତ୍ଜର ତୋପ ଯୋଗାଣ ପାଇଁ ଏହି ଚୁକ୍ତି ହୋଇଥିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/01/RmBMPrlZraDb9VBqkEzy.png)