ରାତିଅଧିଆ କାର୍ଯ୍ୟାନୁଷ୍ଠାନ : ଅକଳରେ କେନ୍ଦ୍ର

ସୁପ୍ରିମ କୋର୍ଟରେ ଶୁଣାଣି ଉପରେ ନଜର, ସଫେଇ ଦେଲା ସିବିଆଇ, ବର୍ମା, ଅସ୍ଥାନାଙ୍କୁ ହଟାଯାଇନି, ସିଭିସି ତଦନ୍ତ ସରିବା ଯାଏଁ ଅଫିସ୍‌ ଆସିବେନି

ନୂଆଦିଲ୍ଲୀ : ରାତି ଅଧିଆ କାର୍ଯ୍ୟାନୁଷ୍ଠାନରେ ସିବିଆଇ ମୁଖ୍ୟ (ନିଦେର୍ଶକ) ଆଲୋକ ବର୍ମାଙ୍କୁ କ୍ଷମତାଚ୍ୟୁତ କରି କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ି ଯାଇଛନ୍ତି। ଦୁଇ ଦିନ ଧରି ଚାରିଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତି। ଆସନ୍ତାକାଲି ସୁପ୍ରିମ କୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଜି ସ୍ପଷ୍ଟୀକରଣ ଜାରି କରିଛନ୍ତି। କହିଛନ୍ତି, ଆଲୋକ ବର୍ମା କିମ୍ବା ସ୍ବତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନାଙ୍କୁ ସେମାନଙ୍କ ପଦରୁ ହଟାଯାଇ ନାହିଁ। ସେମାନେ ଏବେ ବି ସେମାନଙ୍କ ପଦରେ ଅଛନ୍ତି। କେବଳ ସେମାନଙ୍କଠାରୁ କ୍ଷମତା ଛଡ଼ାଇ ନିଆଯାଇଛି ଏବଂ ଛୁଟିରେ ପଠାଇ ଦିଆଯାଇଛି। ଲାଞ୍ଚ ମାମଲାରେ ସିଭିସି ତଦନ୍ତ ଶେଷ ନ ହେବା ଯାଏ ସେମାନେ ଅଫିସ୍‌ରେ ଯୋଗଦେବେ ନାହିଁ।

ଆସନ୍ତାକାଲି ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଏଭଳି ସଫେଇ ଦେଇଛନ୍ତି। କହିଛନ୍ତି, ବର୍ମା ଏବଂ ଅସ୍ଥାନାଙ୍କ ବିରୋଧରେ ହୋଇଥିବା ଲାଞ୍ଚ ଅଭିଯୋଗର ଯାଞ୍ଚ କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି) କରୁଛନ୍ତି। ତଦନ୍ତ ଚାଲିଥିବା ପର୍ଯ୍ୟନ୍ତ ଏମ୍‌ ନାଗେଶ୍ବର ରାଓ ହିଁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ବିଭିନ୍ନ ମାମଲା ପରିଚାଳନା କରିବେ। ଦୁଇ ପ୍ରମୁଖ ଅଧିକାରୀ ପରସ୍ପର ବିରୋଧରେ ଅଭିଯୋଗ କରିଥିବାରୁ ନିରପେକ୍ଷ ତଦନ୍ତ ପାଇଁ ସେମାନଙ୍କୁ ଏବେ ସିବିଆଇଠାରୁ ଦୂରେଇ ରଖାଯାଇଛି। ତଦନ୍ତ ଶେଷ ହେବା କ୍ଷଣି ସେମାନେ ନିଜ ନିଜ କାର୍ଯ୍ୟ‌େର ପୁଣି ଯୋଗଦେବେ। ତେବେ ଛୁଟିରେ ଥିବା ସତ୍ତ୍ବେ ସେମାନଙ୍କୁ ସେମାନଙ୍କ ବେତନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ସିବିଆଇ ମୁଖପାତ୍ର ସ୍ପଷ୍ଟ କରିଛନ୍ତି।

ରାଫେଲ ଦୁର୍ନୀତି ସଂକ୍ରାନ୍ତ ଫାଇଲକୁ ଆଲୋକ ବର୍ମା ଯାଞ୍ଚ କରୁଥିବା ନେଇ ପ୍ରଶ୍ନର ଉତ୍ତରରେ ‌ମୁଖପାତ୍ର କହିଲେ ଯେ କେତେକ ଗଣମାଧ୍ୟମରେ ଏସଂପର୍କରେ‌ ମନଗଢ଼ା ଖବର ପ୍ରକାଶ ପାଇଛି। ଏଥିରେ କୌଣସି ସତ୍ୟତା ନାହିଁ। ଆଲୋକ ବର୍ମାଙ୍କ ଟେବୁଲ୍‌ରୁ ୭ଟି ଫାଇଲ୍‌ ଉଠାଇ ନିଆଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ମଧ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ। କୌଣସି ଫାଇଲ୍‌ ନିଆଯାଇ ନାହିଁ କିମ୍ବା ଅଫିସ୍‌ ସିଲ୍‌ କରାଯାଇ ନାହିଁ। ପୂର୍ବ ଭଳି ସିବିଆଇ କାର୍ଯ୍ୟ କରୁଛି ଏବଂ ବିଭିନ୍ନ ମାମଲାରେ ତଦନ୍ତ ଯେମିତି ଚାଲିଥିଲା, ତାହା ମଧ୍ୟ ଜାରି ରହିଛି। ତେବେ ମିଥ୍ୟା ଅଭିଯୋଗ ଅଣାଯାଇ ସିବିଆଇର ବିଶ୍ବସନୀୟତାକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଥିବା ମୁଖପାତ୍ର ପାଲଟା ଅଭିଯୋଗ କରିଛନ୍ତି। ସେ ଆହୁରି ସଫେଇ ଦେଇଛନ୍ତି ଯେ ସିଭିସିର ସୁପାରିସ ଅନୁସାରେ ହିଁ ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ, ସିବିଆଇ ମୁଖ୍ୟ ଆଲୋକ ବର୍ମା ଗତକାଲି ସୁପ୍ରିମ କୋର୍ଟରେ ଯେଉଁ ପିଟିସନ ଦାଖଲ କରିଥିଲେ ସେଥିରେ ସେ ତାଙ୍କ ବି‌େରାଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନକୁ ବେଆଇନ ଦର୍ଶାଇବା ସହିତ ଏହା ଉପରେ ରୋକ୍ ଲଗାଇବାକୁ ସେ ଅନୁରୋଧ କରିଛନ୍ତି। ଆସନ୍ତାକାଲି ମାମଲାର ଶୁଣାଣି ହେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସକେ କାଉଲ ଏବଂ ଜଷ୍ଟିସ କେଏମ୍ ଯୋଶେଫଙ୍କୁ ନେଇ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ବର୍ମାଙ୍କ ପିଟିସନ ଉପରେ କୋର୍ଟ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର