ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଫିଡ୍ବ୍ୟାକ୍ ୟୁନିଟ୍ (ଏଫ୍ବିୟୁ) ଦୁର୍ନୀତି ମାମଲାରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ବିରୋଧରେ ଏକ ସଦ୍ୟ ମାମଲା ରୁଜୁ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ)।
୨୦୧୫ ମସିହାରେ ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ଆପ୍ ଦ୍ୱାରା ଏଫ୍ବିୟୁ ଗଠନ କରାଯାଇଥିଲା। ଉକ୍ତ ପ୍ରୋଜେକ୍ଟ ପାଇଁ ଆବଣ୍ଟନ ହୋଇଥିବା ପାଣ୍ଠି ଆପ୍ ସରକାରଙ୍କ ଦ୍ବାରା ହଡ଼ପ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସିବିଆଇ ଦାବି କରିଛି ଯେ ଫିଡବ୍ୟାକ୍ ୟୁନିଟ୍ ସୃଷ୍ଟି ଏବଂ କାର୍ଯ୍ୟର ବେଆଇନ ପଦ୍ଧତି ସରକାରୀ ପାଣ୍ଠିକୁ ପ୍ରାୟ ୩୬ ଲକ୍ଷ ଟଙ୍କା କ୍ଷତି ପହଞ୍ଚାଇଛି।
PM’s plan is to slap several false cases against Manish and keep him in custody for a long period. Sad for the country! https://t.co/G48JtXeTIc
— Arvind Kejriwal (@ArvindKejriwal) March 16, 2023
ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ସିସୋଦିଆଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଲେପ୍ଟନାଣ୍ଟ ଗଭର୍ଣ୍ଣର (ଏଲ୍ଜି)ଙ୍କ ଠାରୁ ସିବିଆଇ ଅନୁମତି ମାଗିଥିଲା ଏବଂ ଏ ନେଇ ଏଲ୍ଜିଙ୍କୁ ଏକ ଚିଠି ଲେଖିଥିଲା। ସିବିଆଇ ଚିଠିରେ ଏହା ଦର୍ଶାଇଛି ଯେ ଆପ୍ ସରକାର ଏକ ‘ସିକ୍ରେଟ ସର୍ଭିସ ଫଣ୍ଡ୍’ ସୃଷ୍ଟି କରିଥିଲେ ଏବଂ ଏକ ଡିଟେକ୍ଟିଭ ଏଜେନ୍ସି ନିୟୋଜିତ କରିଥିଲେ। ସିବିଆଇ ଅଭିଯୋଗ ଅନୁଯାୟୀ, ଏଫ୍ବିୟୁ କାର୍ଯ୍ୟକାରୀ କରିବା ପାଇଁ ‘ସିକ୍ରେଟ ସର୍ଭିସ ଏକ୍ସପେଣ୍ଡିଚର’ ପାଇଁ ୧ କୋଟିର ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ପାଣ୍ଠିରୁ ଟଙ୍କା ଉଠାଇବାପାଇଁ ମିଥ୍ୟା ଭାଉଚର ବ୍ୟବହାର ହୋଇଥିବା ସିବିଆଇ ଅଭିଯୋଗ କରିଛି।