ନୂଆଦିଲ୍ଲୀ : ଭୁବନେଶ୍ବରର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ଦ୍ବାରା ଦଶମ ଶ୍ରେଣୀ ପରୀକ୍ଷାରେ ନମ୍ବର ପ୍ରଦାନରେ ଅନିୟମିତତା ନେଇ ଆଜି ସିବିଏସ୍ଇ ଦ୍ବାରା ସୁପ୍ରିମ୍କୋର୍ଟରେ କାଉଣ୍ଟର ଆଫିଡେଭିଟ୍ ବା ଜବାବୀ ସତ୍ୟପାଠ ଦାଖଲ କରାଯାଇଛି। ସ୍କୁଲ ଦ୍ବାରା ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ନମ୍ବର ବଢାଇବା ପାଇଁ ଅର୍ଥ ଦାବି କରାଯାଉଥିବା ନେଇ ସ୍କୁଲର କିଛି ଛାତ୍ରଛାତ୍ରୀଙ୍କ ଦ୍ବରା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଇବା ପାଇଁ ସୁପ୍ରିମ୍କୋର୍ଟରେ ରିଟ୍ ପିଟିସନ ଦାଖଲ କରାଯାଇଥିଲା। ସୁପ୍ରିମ୍କୋର୍ଟ ସେଣ୍ଟ ଜାଭିୟର ଇଣ୍ଟର୍ନ୍ୟାସନାଲ ସ୍କୁଲ ଏବଂ ସିବିଏସ୍ଇକୁ ଏହି ମାମଲାରେ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସିବିଏସ୍ଇ ଦ୍ବାରା ଦାଖଲ କରାଯାଇଥିବା କାଉଣ୍ଟର ଆଫିଡେଭିଟ୍ରେ ପରୀକ୍ଷା ଅନିୟମିତତା ମାମଲା ‘ସମ୍ବାଦ’ରେ ଅଗଷ୍ଟ ୫, ୨୦୨୧ରେ ପ୍ରକାଶିତ ହେବାପରେ ଏହାକୁ ଗୁରୁତ୍ବର ସହ ନେଇଥିଲେ ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ (ଓଏସ୍ସିପିସିଆର)। ଆୟୋଗ ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଥିଲେ। ସିବିଏସ୍ଇ ଦ୍ବାରା ତିନିଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା। ଅଗଷ୍ଟ ୧୧, ୨୦୨୧ର ପ୍ରଦତ୍ତ ତଦନ୍ତ ରିପୋର୍ଟ ଛାତ୍ରଛାତୀଙ୍କ ଅଭିଯୋଗକୁ ସମର୍ଥନ କରି ନ ଥିଲା। ଯେଉଁ ଛାତ୍ରଛାତ୍ରୀ ସ୍କୁଲ କଥା ମାନିଲେ ନାହିଁ ସେମାନଙ୍କୁ କମ୍ ମାର୍କ ଦିଆଯାଇଥିବା ଅଭିଯୋଗ ମିଥ୍ୟା କାରଣ କମିଟିକୁ ଏନେଇ ପ୍ରମାଣ ମିଳି ନ ଥିବାର ଆଫିଡେଭିଟ୍ରେ କୁହାଯାଇଥିଲା।
ଅପରପକ୍ଷେ, ଅଭିଯୋଗକାରୀମାନେ ସ୍କୁଲରୁ ଇଣ୍ଟର୍ନାଲ ଆସେସ୍ମେଣ୍ଟ ମାର୍କ, ଗତ ତିନି ବର୍ଷର ସର୍ବାଧିକ ହାରାହାରି ମାର୍କ ଏବଂ ରେଜଲ୍ଟ କମିଟି ଦ୍ବାରା ଅନ୍ କେସ୍ ଟୁ କେସ୍ ବେସିସରେ ପ୍ରଦାନ କରାଯାଇଥିବା ମାର୍କ ନେଇପାରିବେ ବୋଲି ଆଫିଡେଭିଟ୍ରେ କୁହାଯାଇଛି। ସିବିଏସ୍ଇ ପକ୍ଷରୁ ଅଭିଯୋଗକାରୀ ଛାତ୍ରଛାତୀଙ୍କ ଦ୍ବାରା ଦାଖଲ ରିଟ୍ ପିଟିସନକୁ ଖାରଜ କରିଦେବା ପାଇଁ ଆଫିଡେଭିଟ୍ରେ କୁହାଯାଇଛି। ଅପରପକ୍ଷେ, ଏହି ମାମଲାରେ ସ୍କୁଲ ଦ୍ବାରା ବର୍ତ୍ତମାନ ସୁଦ୍ଧା ଜବାବ ଦାଖଲ କରାଯାଇନାହିଁ। ଆଜି ଏହି ମାମଲାରେ ସୁପ୍ରିମ୍କୋର୍ଟର ବିଚାରପତି ଏ.ଏମ୍. ଖାନୱିଲକର ଓ ବିଚାରପତି ସି.ଟି. ରବିକୁମାର ସ୍କୁଲକୁ ଜବାବ ଦାଖଲ କରିବା ପାଇଁ ଅନୁମତି ଦେବା ସହିତ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଚଳିତ ମାସ ୨୧କୁ ଦିନ ଧାର୍ଯ୍ୟ କରିଛନ୍ତ।