ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍’ (ସିବିଏସ୍ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି।
ଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଅନେକ ବନ୍ଧୁ ଆଶାନୁସାରେ ଫଳ ପାଇ ନ ଥିବେ। ମନଊଣା ନ କରିବା ପାଇଁ ସେମାନଙ୍କୁ ମୋର ନିବେଦନ। ଗୋଟିଏ ପରୀକ୍ଷା ଜଣେ ବ୍ୟକ୍ତିର ଦକ୍ଷତା ପ୍ରତିପାଦିତ କରିପାରେ ନାହିଁ। କଠୋର ଶ୍ରମ କରିବା ସହିତ ଅଭିଳାଷର ଅନୁଧାବନ କର। ପ୍ରଚେଷ୍ଟା ପରିତ୍ୟାଗ ନ କରୁଥିବା ଲୋକଙ୍କ ପାଖକୁ ସଫଳତା ଆସେ।
୧୦ମ ଶ୍ରେଣୀ ପାସ୍ କରିଥିବା ଶିକ୍ଷାର୍ଥୀମାନଙ୍କୁ ‘ସିବିଏସ୍ଇ’ ତା’ର ‘ପରିଣାମ ମଞ୍ଜୁଷା’ ଜରିଆରେ ଡିଜିଟାଲ୍ ଏକାଡେମିକ୍ ଡକ୍ୟୁମେଣ୍ଟ’ ଯଥା:- ‘ମାର୍କସିଟ୍-କମ୍-ସାର୍ଟିଫିକେଟ୍ସ୍’, ‘ମାଇଗ୍ରେସନ୍ ସାର୍ଟିଫିକେଟ୍’, ଏବଂ ଆବଶ୍ୟକ କ୍ଷେତ୍ରରେ ‘ସ୍କିଲ୍ ସାର୍ଟିଫିକେଟ୍’ ଯୋଗାଇଦେବ।
ଚଳିତ ବର୍ଷ ସମୁଦାୟ ଭାରତ ସମେତ ୨୬ଟି ଦେଶର ୨୮୪୭୧ ସ୍କୁଲ୍ର ୨୧୮୬୪୮୫ଜଣ ଶିକ୍ଷାର୍ଥୀ ‘ସିବିଏସ୍ଇ’ ପାଇଁ ନାମ ପଞ୍ଜିକରଣ କରାଇଥିଲେ।