ସୁପ୍ରିମ୍‌ କୋର୍ଟରେ ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ଦାଖଲ କଲା ‘ସିବିଏସ୍‌ଇ’; ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ଫଳାଫଳ

ନୂଆଦଲ୍ଲୀ: ସାମ୍ପ୍ରତିକ ମହାମାରୀ ପରିସ୍ଥିତି ହେତୁ ୨୦୨୧ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିବା ‘ସିବିଏସ୍‌ଇ’ ଆଜି ସୁପ୍ରିମ୍‌ କୋର୍ଟରେ ବିନା ପରୀକ୍ଷାରେ କରାଯିବାକୁ ଥିବା ମୂଲ୍ୟାୟନ ପଦ୍ଧତି ଦାଖଲ କରିଛି।

ଏବର୍ଷର ଦ୍ବାଦଶ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ମୂଲ୍ୟାଙ୍କନ ପଦ୍ଧତି ଚୂଡ଼ାନ୍ତ କରିବା ଲାଗି ‘ସିବିଏସ୍‌ଇ’ ୧୩ଜଣିଆ କମିଟି ଗଠନ କରିଥିଲା। ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମୂଲ୍ୟାୟନ ପଦ୍ଧତି ଘୋଷଣା କରିବା ଲାଗି ଜୁନ୍‌ ୩ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ବୋର୍ଡକୁ ଦୁଇ ସପ୍ତାହ ସମୟ ଦେଇଥିଲେ।

ଆଜି ‘ସିବିଏସ୍‌ଇ’ ସୁପ୍ରିମ୍‌ କୋର୍ଟଙ୍କୁ କହିଛି ଯେ, ଦ୍ବାଦଶ ଶ୍ରେଣୀର ପ୍ରାକ୍‌-ବୋର୍ଡ ପରୀକ୍ଷା ନମ୍ବର, ୧୦ମ ଶ୍ରେଣୀର ନମ୍ବର ଏବଂ ଏକାଦଶ ଶ୍ରେଣୀର ନମ୍ବରକୁ ଆଧାର କରି ଏବର୍ଷ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ନମ୍ବର ହିସାବ କରାଯିବ। ଏ ସଂକ୍ରାନ୍ତରେ ‘ସିବିଏସ୍‌ଇ’ ସବିଶେଷ ବିବରଣୀ ମଧ୍ୟ ଅଦାଲତରେ ଉପସ୍ଥାପନ କରିଛି।

Image Courtesy of India Today

ସୁପ୍ରିମ୍‌ କୋର୍ଟରେ ‘ସିବିଏସ୍‌ଇ’ର ପ୍ରତିନିଧି ଆଟର୍ଣ୍ଣି ଜେନେରାଲ୍‌ କେ. କେ. ବେଣୁଗୋପାଳ ବିଚାରପତି ଏଏମ୍‌ ଖାନ୍‌ୱାଲିକର୍ ଏବଂ ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି, ପ୍ରତ୍ୟକ୍ଷ ପରୀକ୍ଷା ହୋଇଥିଲେ ଛାତ୍ରଛାତ୍ରୀମାନେ ହାସଲ କରିଥିବା ନମ୍ବର ଉଲ୍ଲେଖ ଥିବା ସାର୍ଟିଫିକେଟ୍‌ ପାଇବାରେ ସମର୍ଥ ହୋଇ ଥାଆନ୍ତେ। ସେଥିପାଇଁ ଏଥର ‘ସିବିଏସ୍‌ଇ’ ୧୦ମ, ୧୧ଶ ଏବଂ ୧୨ଶ ଶ୍ରେଣୀ ପରୀକ୍ଷା ନମ୍ବରକୁ ଆଧାର କରିଛି। ତେଣୁ, ୩୦:୩୦:୪୦: ଫର୍ମୁଲାରେ ମୂଲ୍ୟାୟନ କରାଯିବ। ଅର୍ଥାତ୍‌ ୧୦ମରୁ ୩୦%, ୧୧ଶରୁ ୩୦% ଏବଂ ୧୨ଶରୁ ୪୦% ‘ୱେଟେଜ୍‌’ ଦିଆଯାଇ ମୂଲ୍ୟାୟନ ‌କରାଯିବ।

ମୂଲ୍ୟ‌ାୟନ ନିମନ୍ତେ ୧୨ଶର ୟୁନିଟ୍‌, ଟର୍ମ ଏବଂ ପ୍ରାକ୍ଟିକାଲ୍‌ରେ ମିଳିଥିବା ନମ୍ବରକୁ ବିଚାରକୁ ନିଆଯାଇ ଛାତ୍ରଛାତ୍ରୀମାନଙ୍କୁ ନମ୍ବର ଦିଆଯିବ। ସେହିଭଳି, ୧୦ମ ଓ ୧୧ଶ ଶ୍ରେଣୀର ୫ଟି ଟର୍ମ ପରୀକ୍ଷାରୁ ସବୁଠୁ ଭଲ ହୋଇଥିବା ୩ଟି ଟର୍ମର ନମ୍ବର ବିଚାରକୁ ନିଆଯିବ।

୨୦୨୧ ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ମଧ୍ୟ ବେଣୁଗୋପାଳ ଖଣ୍ଡପୀଠଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର