ହ୍ଵାଟ୍‌ସଆପ୍‌ରେ ଲିକ୍‌ ହେଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଆକାଉଣ୍ଟାନ୍ସି ପ୍ରଶ୍ନପତ୍ର, ପରୀକ୍ଷା ରଦ୍ଦ ହେବା ଆଶଙ୍କା

ନୂଆଦିଲ୍ଲୀ : କିଛି ଦିନ ତଳେ ଦଶମ ବୋର୍ଡ଼ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବାର ଖବର ଆସିଥିବା ବେଳେ ଏବେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି । ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ଆକାଉଣ୍ଟାନ୍ସି ପ୍ରଶ୍ନପତ୍ର ହ୍ଵାଟ୍‌ସଆପ୍‌ରେ ଲିକ୍‌ ହୋଇଛି ବୋଲି ସୂଚନା ମିଳିଛି । ଏହି ଖବର ପ୍ରସାର ହେବା ପରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ପ୍ରଥମେ ଆକାଉଣ୍ଟାନ୍ସି ପ୍ରଶ୍ନପତ୍ର ଲିକ୍‌ ହେବା ଖବରକୁ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ସତ ବୋଲି ସ୍ପଷ୍ଟ କରିଥିଲେ । ତେବେ ସିବିଏସଇ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି।

ସେଟ୍‌-୨ରେ ଥିବା ପ୍ରଶ୍ନ ହ୍ଵାଟ୍‌ସଆପ୍‌ ଗ୍ରୁପରେ ସେୟାର କରାଯାଇଥିବା ପ୍ରଶ୍ନ ସହ ସଂପୂର୍ଣ୍ଣ ଭାବେ ମିଶୁଛି ବୋଲି ସିସୋଦିଆ କହିଥିଲେ । ସିବିଏସ୍‌ଇ ଗାଇଡ଼୍‍ଲାଇନ୍‌ ଅନୁଯାୟୀ ଯଦି କୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହେଉଛି ତେବେ ସେ ପରୀକ୍ଷାକୁ ପୁଣିଥରେ କରାଯାଇଥାଏ । କିନ୍ତୁ ଏହି ଘଟଣା ପରେ ଆକାଉଣ୍ଟାନ୍ସି ପରୀକ୍ଷାକୁ ରଦ୍ଦ କରାଯିବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କେହି ପାଖ ଲୋକ ଏପରି କରିଥାଇ ପାରନ୍ତି ବୋଲି ସିବିଏସ୍‌ଇ ସନ୍ଦେହ କରୁଥିବା ବେଳେ ପ୍ରଶ୍ନପତ୍ର କିଭଳି ଲିକ୍‌ ହେଲା ସେ ନେଇ ଏକ ବୈଠକର ଆୟୋଜନ କରାଯିବ ବୋଲି ଜଣା ପଡ଼ିଛି ।

India TV

ଆକାଉଣ୍ଟାନ୍ସି ପ୍ରଶ୍ନପତ୍ର ଲିକ୍‌ ହେବା ନେଇ ଖବର ପ୍ରକାଶ ପାଇବା ପରେ ଶିକ୍ଷା ନିର୍ଦ୍ଦେଶାଳୟର ଅଧୀକାରୀଙ୍କୁ ଏ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକୃତ ଦୋଷୀ କିଏ ତାହା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ନିହାତି ଭାବେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଯାହାଦ୍ୱାରା ସିବିଏସ୍‌ଇର ଅବହେଳା ଯୋଗୁଁ ପରୀକ୍ଷା ପାଇଁ ପରିଶ୍ରମ କରୁଥିବା ପିଲାମାନେ ପୁଣି ଥରେ ଅବହେଳିତ ହେବେ ନାହିଁ ବୋଲି ସିସୋଦିଆ ଟ୍ଵିଟ୍‌ କରି କହିଛନ୍ତି ।

ସୂଚନା ମୁତାବକ, ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୫,୨୦୧୮ରେ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୩ରେ ଶେଷ ପରୀକ୍ଷାଟି ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । ପାଖାପାଖି ୧୧ଲକ୍ଷ ପିଲା ଏ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ଏହି ଖବର ସମସ୍ତଙ୍କୁ ଅଡ଼ୁଆରେ ପକାଇଛି । ପରୀକ୍ଷା ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ମାର୍ଚ୍ଚ ୪ରେ ସିବିଏସ୍‌ଇ ପରୀକ୍ଷା ନିରୀକ୍ଷକ କେ.କେ.ଚୌଧୁରୀ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚିଠି ଲେଖି ସତର୍କ ସୂଚନା ଦେଇଥିଲେ ବୋଲି ଜଣା ପଡ଼ିଛି ।

zeenews.india.com
ସମ୍ବନ୍ଧିତ ଖବର