ନୂଆଦିଲ୍ଳୀ: 'ଡମି ସ୍କୁଲ'ରେ ପଢ଼ୁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ଦେବା ପାଇଁ ଅନୁମତି ମିଳିବ ନାହିଁ। ଏପରି ଏକ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସ୍ଇ)।
ବୋର୍ଡ ସ୍ପଷ୍ଟ କରିଛି ଯେ ନିୟମିତ ଭାବରେ ସ୍କୁଲରେ ଯୋଗ ନଦେବା ପାଇଁ ଅଭିଭାବକ ଏବଂ ଛାତ୍ର ଉଭୟ ସମାନ ଭାବରେ ଦାୟୀ। ନିୟମ ପାଳନ ନ କଲେ ଗମ୍ଭୀର ପରିଣାମ ହେବ ବୋଲି ଗଣମାଧ୍ୟମ ସଂସ୍ଥା ପିଟିଆଇରେ ପ୍ରକାଶ ପାଇଛି। ନିକଟରେ ଜଣେ ଡମି ସ୍କୁଲ ଛାତ୍ର ଜେଇଇ (ମେନ୍ସ) ରେ ଟପର୍ ହେବା ପରେ ଏହି ସମସ୍ୟା ଚର୍ଚ୍ଚାକୁ ଆସିଥିଲା।
ଛାତ୍ର ଜଣକ ପଢୁଥିବା ନାଙ୍ଗଲୋଇର ଏସ୍ଜିଏନ୍ ପବ୍ଲିକ୍ ସ୍କୁଲ ଗତବର୍ଷ ବିଭିନ୍ନ ମାନଦଣ୍ଡରେ ବିଫଳ ହୋଇଥିଲା।ଉପସ୍ଥିତ ରହୁନଥିବା ଛାତ୍ରଙ୍କ ନାମ ଲେଖାରୁ ନେଇ ଏମିତି ବିଭିନ୍ନ ପ୍ରସଂଗରେ ସ୍କୁଲ୍ଟି ‘ସର୍ପ୍ରାଇଜ୍ ଭିଜିଟ୍’ ବା ଅଚାନକ ପରିଦର୍ଶନ ସମୟରେ ବିଫଳ ହୋଇଥିଲା। ଜଣାପଡ଼ିଲା କି ସ୍କୁଲ୍ଟି ସିବିଏସ୍ଇ ମାନଦଣ୍ଡ ପାଳନ କରିବାରେ ବିଫଳ ହୋଇଥିଲା। ଯାହା ପରେ ସ୍କୁଲ୍କୁ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଡମି ସ୍କୁଲଗୁଡ଼ିକର କାର୍ଯ୍ୟକୁ ନାପସନ୍ଦ କରିଥିଲେ। ଏହାସହ ସିବିଏସ୍ଇ ଏବଂ ଦିଲ୍ଲୀ ସରକାରଙ୍କୁ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ନିକଟରେ ୨୦୨୫ ମସିହା ଜାନୁଆରି ୨୭ ତାରିଖରେ ଏକ ଆଦେଶରେ ମୁଖ୍ୟ ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ବିଚାରପତି ତୁଷାର ରାଓ ଗେଡେଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କର୍ତ୍ତୃପକ୍ଷଙ୍କୁ ଏପରି କେନ୍ଦ୍ରଗୁଡ଼ିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସିବିଏସ୍ଇ ପୂର୍ବରୁ ଦେଶବ୍ୟାପୀ ୩୦୦ରୁ ଅଧିକ ଡମି ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରମ୍ପରିକ ସ୍କୁଲିଂର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛି।