ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ: ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ

ନୂଆଦିଲ୍ଲୀ:  ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାରୁ ବୋର୍ଡ ପୁଣିଥରେ ଦଶମ ଶ୍ରେଣୀ ଗଣିତ ଏବଂ ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ପରୀକ୍ଷା କରିବ ଏବଂ ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।  ଆଜି ମୋଦି ଜାଭଡ଼େକରଙ୍କ ସହ ଏ ବାବଦରେ ଆଲୋଚନା କରି ଏଭଳି ଘଟଣାକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ  ଗୁରୁତ୍ୱାରୋପ କରିଥିବା ଜଣାପଡ଼ିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଜାଭଡ଼େକର କହିଛନ୍ତି ଯେ ଭବିଷ୍ୟତରେ  କୌଣସି ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନହେବାପାଇଁ ସରକାର ଏକ ସୁଦୃଢ଼ ପଦ୍ଧତିରେ କାର୍ଯ୍ୟ କରିବେ। ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ଏକ ଜାତୀୟ ଟେଷ୍ଟିଂ ଟିମ୍‌ ଗଠନ ହେବ। ଏକ ନୂଆ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଏହିି ପଦ୍ଧତି ଆରମ୍ଭ ହେବ ଯାହା ଭବିଷ୍ୟତରେ କୌଣସି ପ୍ରଶ୍ନପତ୍ର ପ୍ରଘଟ ହେବାକୁ ଦେବନାହିଁ। ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ଘୋଷଣାଗୁଡ଼ିକ ସିବିଏସଇ ବୋର୍ଡ ଦ୍ୱାରା  ହିଁ ହେବ।    ଛାତ୍ରଛାତ୍ରୀଙ୍କ ଜୀବନ ସହ  ଖେଳିବାର ଅଧିକାର କୌଣସି ବ୍ୟକ୍ତିର ନାହିଁ ବୋଲି ମତଦେଇ ଜାଭଡ଼େକର କହିଛନ୍ତି ଯେ ପ୍ରଶ୍ନପତ୍ର ପ୍ରଘଟ ମାମଲାର ଦୋଷୀକୁ ଧରାଯିବା ସୁନିଶ୍ଚିତ। ପ୍ରଶ୍ନପତ୍ରର କିଛି ଅଂଶ ହ୍ଵାଟ୍ସଆପ୍‌ରେ ପ୍ରଘଟ ହୋଇଛି ଏବଂ ଦୋଷୀକୁ ଧରିବାଲାଗି ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଏଥିରେ ନିୟୋଜିତ ହୋଇଥିବା ସେ କହିଛନ୍ତି। ଛାତ୍ରଙ୍କ ପ୍ରତି କୌଣସି ପ୍ରକାର ଅନ୍ୟାୟ ହେବାକୁ ଦିଆଯିବ ନାହିଁ ବୋଲି ମତଦେଇ ଜାଭଡ଼େକର କହିଛନ୍ତି ଯେ ଦିଲ୍ଲୀର  ଅଳ୍ପକିଛି ସ୍କୁଲ୍‌ରୁୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଜଣାପଡ଼ିଛି। ସିବିଏସଇ ମଧ୍ୟ ଏହି ଘଟଣାର ତଦନ୍ତ କରି ବଳିଷ୍ଠ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର