ସିବିଏସ୍‌ଇ ସ୍କୁଲ୍‌ସମୂହ ଏନ୍‌ସିଇଆର୍‌ଟି ସିଲାବସ୍‌ ଅନୁସରଣ କରିବା ଉଚିତ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ୧୮୦୦୦ ରୁ ଊର୍ଦ୍ଧ୍ୱ ସିବିଏସ୍‌ଇ ସ୍କୁଲ୍‌ ଏନ୍‌ସିଇଆର୍‌ଟି ଅନୁମୋଦିତ କରିଥିବା ବିଷୟ ଅନୁସରଣ କରିବା ଉଚିତ। ଅନ୍ୟ କୌଣସି ଅତିରିକ୍ତ ବିଷୟ ପାଠ୍ୟକ୍ରମରେ ସାମିଲ ହେବା ଅନୁଚିତ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।

ଆଡ୍‌ଭୋକେଟ୍‌ ଏମ୍‌ ପୁରୁଷୋତ୍ତମଙ୍କ ଆବେଦନର ଶୁଣାଣିବେଳେ ଜଷ୍ଟିସ୍‌ ଏନ୍‌ କିରୁୁବାକରଣ ଆଶ୍ଚର୍ଯ୍ୟ ହୋଇ କହିଛନ୍ତି: ଏନ୍‌ସିଇଆର୍‌ଟି ଛୋଟ ପିଲାମାନଙ୍କ ପାଇଁ କେବଳ ସୀମିତ ବିଷୟ ଅନୁମୋଦିତ କରିଥିବା ବେଳେ ସିବିଏସ୍‌ଇ କେମିତି ତା’ର ଅନୁବନ୍ଧିତ ସ୍କୁଲ୍‌ମାନଙ୍କୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ବିଷୟ ରଖିବାକୁ ଅନୁମତି ଦେଉଛି ତାହା ମୋତେ ଜଣା ନାହିଁ।

ପିଟିସନର୍‌ଙ୍କ ମତରେ, ସିବିଏସ୍‌ଇର ପ୍ରଥମ ଶ୍ରେଣୀ ପାଇଁ ଏନ୍‌ସିଇଆର୍‌ଟି ପାଠ୍ୟଖସଡ଼ା କେବଳ ତିନୋଟି ବିଷୟ ଅନୁମୋଦିତ କରିଛି। ସେ ସବୁ ହେଉଛି- ମାତୃଭାଷା, ଇଂରାଜି ଓ ଗଣିତ। କିନ୍ତୁ ବାସ୍ତବରେ ପ୍ରଥମ ଶ୍ରେଣୀର ପିଲାମାନେ କମ୍ପ୍ୟୁଟର୍‌ ସାଇନ୍‌ସ୍‌, ସାଧାରଣଜ୍ଞାନ ଏବଂ ହିନ୍ଦୀ ମମେତ ଆଠଟି ବିଷୟ ପଢ଼ିବାକୁ ବାଧ୍ୟ ହେଉଛନ୍ତି।

ଏହାଛଡ଼ା, ଏନ୍‌ସିଇଆର୍‌ଟି ନିର୍ଦ୍ଦିଷ୍ଟ କରି ଦର୍ଶାଇଛି ଯେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ହୋମ୍‌ଓ୍ଵାର୍କ ଦିଆ ଯିବା ଅନୁଚିତ। କିନ୍ତୁ, ନିୟମ ଉଲ୍ଲଂଘନ କରାଯାଇ କେବଳ ସିବିଏସ୍‌ଇ ନୁହେଁ, ରାଜ୍ୟ ବୋର୍ଡରେ ମଧ୍ୟ ହୋମ୍‌ଓ୍ଵାର୍କ ବାଧ୍ୟତାମୂଳକ କରାଯାଇଛି। ଆବେଦନ ଶୁଣାଣି ପାଇଁ ଅଣାଯିବା ପରେ ସବିଏସ୍‌ଇ ଜବାବ ଦାଖଲ କରି କହିଛି କି, ଏନ୍‌ସିଇଆର୍‌ଟିର ଏ ଭଳି ସର୍କ୍ୟୁଲାର୍‌ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ ନିଶ୍ଚିତ କରାଇବ।

ସିବିଏସ୍‌ଇର ଜବାବ ଦାଖଲକୁ ରେକର୍ଡ କରି ଜଷ୍ଟିସ୍‌ କିରୁବକରଣ ଜୋର୍‌ ଦେଇ କହିଲେ କି, ସ୍କୁଲ୍‌ରେ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ ଅନୁସରଣ କରାଯାଉଛି କି, ନାହିଁ ଯାଞ୍ଚ କରିବାକୁ ବୋର୍ଡର ବ୍ୟବସ୍ଥା ରହିଛି। ଏହାର ଜବାବରେ ବୋର୍ଡ କହିଲା ଯେ, କେନ୍ଦ୍ର ସରକାର କି, ରାଜ୍ୟ ସରକାରଙ୍କ ନିୟମ ପ୍ରଣୟନ କରିବାକୁ ବୋର୍ଡ କୌଣସି ଆର୍ଥିକ ସହଯୋଗ ପାଉନାହିଁ।

କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦେଶ ଆଣି ମାର୍ଚ ୨୭ ତାରିଖ ସୁଦ୍ଧା ଅଦାଲତରେ ଦାଖଲ କରିବାକୁ ବିଚାରପତି ଆସିସ୍‌ଷ୍ଟାଣ୍ଟ୍‌ ସଲିସିଟର୍‌ଙ୍କୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର