ଆସନ୍ତା ବର୍ଷ ଠାରୁ ବଦଳିବ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନ ପତ୍ର ଢାଞ୍ଚା

ନୂଆଦିଲ୍ଲୀ: ୨୦୨୦ ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ଢାଞ୍ଚା ପରିବର୍ତ୍ତନ କରିବାକୁ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଏଡୁକେସନ୍‌ ଯୋଜନା କରୁଛି। ଫେବ୍ରୁଆରି ସୁଦ୍ଧା ଧନ୍ଦାମୂଳକ ବିଷୟର ପରୀକ୍ଷା ଶେଷ କରିବା ଏବଂ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିବାକୁ ମଧ୍ୟ ସିବିଏସ୍‌ଇ ଚାହୁଁଛି।

ଅଧିକାରୀମାନେ କହିଛନ୍ତି ଯେ ନୂତନ ପରୀକ୍ଷା ପଦ୍ଧତି ଛାତ୍ରଛାତ୍ରୀମାନଙ୍କର ବିଶ୍ଳେଷଣାତ୍ମକ ଦକ୍ଷତାର ପରୀକ୍ଷା ନେବା ସହ ଘୋଷି ଘୋଷି ପାଠ ମୁଖସ୍ଥ କରିବା ପରିସରକୁ କମାଇବ।

ସମସ୍ୟା-ସମାଧାନମୂଳକ ପ୍ରଶ୍ନ ଅଧିକ ଆସିବ। ୧ ରୁ ୫ ମାର୍କ ମଧ୍ୟରେ ଅଧିକ ସଂକ୍ଷିପ୍ତ ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀମାନଙ୍କର ଜଟିଳ ଚିନ୍ତନ ଦକ୍ଷତା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ପାଠ ଘୋଷି ଅଧିକ ନମ୍ବର ରଖିବା ଠାରୁ ଶିକ୍ଷାର ପ୍ରକୃତ ଫଳାଫଳ ଏହି ପରୀକ୍ଷାରୁ ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅଧିକାରୀ କହିଛନ୍ତି।

ଅନୁମୋଦନ ନିମନ୍ତେ ବୋର୍ଡ ମନ୍ତ୍ରାଳୟକୁ ସିବିଏସ୍‌ଇ ବାଇଲଜ୍‌ ମଧ୍ୟ ଦାଖଲ କରିଛି। ବାଇଲ’ ଅନୁସାରେ ପ୍ରତିଷ୍ଠାନର ଶିକ୍ଷାଦାନ ମାନକୁ ଭିତ୍ତି କରି ଅନୁବନ୍ଧନ/ନବୀକରଣ ପାଇଁ ଅନୁମତି ମିଳିବ। ସ୍କୁଲ୍‌ର ଭିତ୍ତିଭୂମି ଯାଞ୍ଚ କରାଇବାକୁ ବୋର୍ଡ ଅନୁମୋଦିତ କର୍ତ୍ତୃପକ୍ଷ, ଅର୍ଥାତ୍‌ ସମ୍ପୃକ୍ତ ରାଜ୍ୟ ଶିକ୍ଷା ବିଭାଗ ଉପରେ ନିର୍ଭର କରିବେ।

ପ୍ରସ୍ତାବ ବାସ୍ତବ ରୂପ ନେବା ପାଇଁ ଆଉ ତିନି ଚାରି ମାସ ଲାଗିବ। କିନ୍ତୁ, ୨୦୨୦ ଠାରୁ ପ୍ରଶ୍ନପତ୍ର ଢାଞ୍ଚା ପରିବର୍ତ୍ତନ ଲାଗି ବୋର୍ଡ ତା’ର କାର୍ଯ୍ୟ ଆରମ୍ଭ କରି ସାରିଛି।

ଖାତା ମୂଲ୍ୟାୟନ ନିମନ୍ତେ ଅଧିକ ସମୟ ଓ ଶୀଘ୍ର ଫଳ ପ୍ରକାଶ କରିବାକୁ ବୋର୍ଡ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ମଧ୍ୟ ଯୋଜନା କରୁଛି।

ସମ୍ବନ୍ଧିତ ଖବର