ପୁଣି ହେବ ସିବିଏସଇ ଦଶମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଦଶମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ବିଷୟ ପାଇଁ ପୁଣି ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଏହି ଦୁଇଟି ପ୍ରଶ୍ନ ପତ୍ର ଲିକ୍‌ ହେବା ଅଭିଯୋଗ ହେବା ପରେ ସିବିଏସଇ ଏହି ପଦକ୍ଷେପ ନେଇଛି । ପରୀକ୍ଷା ଗୁଡିକର ସ୍ୱଚ୍ଚତା ରକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବୋର୍ଡ କହିଛି । ଏହି ପୁନଃ ପରୀକ୍ଷା ସଂପର୍କରେ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ଦୁଇଟି ପରୀକ୍ଷାର ତାରିଖ ଆସନ୍ତା ଏକ ସପ୍ତାହ ମଧ୍ୟରେ  ଜଣାଇଦିଆଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ଏହି ତାରିଖ ସଂପର୍କରେ ସିବିଏସଇ େଓ୍ଵବସାଇଟରେ ସୂଚନା ଦିଆଯିବ ।  ଗତ ସୋମବାରଦିନ କେତେକ ଘରୋଇ ସ୍କୁଲର ଶିକ୍ଷକମାନେ ହ୍ଵାଟ୍ସଆପରେ ଅର୍ଥନୀତି ପ୍ରଶ୍ନ ପତ୍ରର ନକଲ ବୁଲୁଥିବା ଦେଖି ସିବିଏସଇକୁ ସୂଚୀତ କରିଥିଲେ । ଏହା ପରେ ସିବିଏସଇ ପକ୍ଷରୁ ପୁନଃପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ କେବଳ ଗଣିତ ବା ଅର୍ଥନୀତି ନୁହେଁ, ବରଂ ଦଶମ ଶ୍ରେଣୀର ସାମାଜିକ ବିଜ୍ଞାନ ଓ ଦ୍ୱାଦଶ ଶ୍ରେଣୀର ବାୟୋଲୋଜୀ ପ୍ରଶ୍ନପତ୍ର ମଧ୍ୟ ଲିକ ହୋଇଥିବା କେତେକ ଅଭିଭାବକ ଦାବି କରିଛନ୍ତି । ଏହି ଦୁଇଟି ପେପରର ପୁଣି ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର