୩୦:୩୦:୪୦ ଫର୍ମୁଲାରେ ସିବିଏସ୍‌ଇ ଦ୍ବାଦଶ ରେଜଲ୍ଟ

ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ, ମାର୍କରେ ସନ୍ତୁଷ୍ଟ ନ‌ ହେଲେ ପରୀକ୍ଷା ଦେଇପାରିବେ

ନୂଆଦିଲ୍ଲୀ : ସିବିଏସଇ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନକୁ ନେଇ ରହିଥିବା ଦ୍ବନ୍ଦ୍ବ ଓ କଳ୍ପନାଜଳ୍ପନା ଏକପ୍ରକାର ଦୂର ହୋଇଛି। ସୁପ୍ରିମ୍ କୋର୍ଟରେ ସିବିଏସଇ ପକ୍ଷରୁ ପିଲାଙ୍କୁ ନମ୍ବର ପ୍ରଦାନର ଫର୍ମୁଲା ସଂପର୍କରେ ସୂଚନା ଦିଆଯାଇଛି। ପିଲାଙ୍କ ମୂଲ୍ୟାୟନ ୩୦:୩୦:୪୦ ଫର୍ମୁଲାରେ କରିବାକୁ ବୋର୍ଡ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀ ମାର୍କ ଆଧାରରେ ପରୀକ୍ଷାର୍ଥୀଙ୍କୁ ଚୂଡ଼ାନ୍ତ ମାର୍କ ମିଳିବ। କରୋନାର ଦ୍ବିତୀୟ ଲହର ପାଇଁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯିବା ପରେ ସିବିଏସ୍‌ଇ ପକ୍ଷରୁ ଗଠିତ ୧୨ଜଣିଆ ବିଶେଷଜ୍ଞ କମିଟି ଏହି ନୂତନ ଫର୍ମୁଲା ପ୍ରସ୍ତୁତ କରିଛନ୍ତି।

ସିବିଏସ୍‌ଇ ତଥ୍ୟ ଅନୁଯାୟୀ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ମାର୍କକୁ ୩୦%, ଏକାଦଶ ଶ୍ରେଣୀର ମାର୍କକୁ ୩୦% ଓ ଦ୍ବାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷାର ମାର୍କକୁ ୪୦% ଭାବେ ବିଚାରକୁ ନିଆଯାଇ ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ କରାଯିବ। ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ସବୁଠୁ ଭଲ ନମ୍ବର ରଖିଥିବା ୩ଟି ବିଷୟକୁ ନିଆଯିବ। ସେହିପରି ଦ୍ବାଦଶ ଶ୍ରେଣୀ କ୍ଷେତ୍ରରେ ପ୍ରି-ବୋର୍ଡ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯିବ ବୋଲି ଆଟର୍ଣ୍ଣି ଜେନେରାଲ ବିଚାରପତି ଏ ଏମ୍‌. ଖାନୱିଲକର ଏବଂ ଦୀନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଜଣାଇଛନ୍ତି। ୧୦୦ ନମ୍ବରର ପ୍ରାକ୍ଟିକାଲ ହେବ। ବିଦ୍ୟାଳଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ମାର୍କ ଆଧାରରେ ପିଲାଙ୍କର ମୂଲ୍ୟାୟନ କରାଯିବ। ୩ ବର୍ଷର ନମ୍ବରକୁ ବିଚାରକୁ ନିଆଯାଇ ଥିବାରୁ ଯଦି କୌଣସି ଛାତ୍ର/ଛାତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ଯୋଗ୍ୟ ହେବେ ନାହିଁ, ତାହାଲେ ସେମାନଙ୍କୁ ‘ଏସେନସିଆଲ ରିପିଟ୍‌’ ବା ‘କମ୍ପାର୍ଟମେଣ୍ଟ’ ବର୍ଗରେ ରଖାଯିବ। ଯେଉଁ ଛାତ୍ରଛାତ୍ରୀ ସେମାନଙ୍କ ନମ୍ବରକୁ ନେଇ ସନ୍ତୁଷ୍ଟ ନ ହେବେ, କରୋନା ସ୍ଥିତି ସୁଧୁରିବା ପରେ ସିବିଏସ୍‌ଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ପରୀକ୍ଷାରେ ଭାଗ ନେଇପାରିବେ।

ଏଥିସହ ଅତୀତରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ପ୍ରଦର୍ଶନକୁ ମଧ୍ୟ ଦେଖାଯିବ। କେତେକ ବିଦ୍ୟାଳୟ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ଉନ୍ନତ ଦେଖାଇବା ପାଇଁ କୋହଳ ନମ୍ବର ଦେଇଥା’ନ୍ତି। ତାହାକୁ ମଧ୍ୟ ଯାଞ୍ଚ କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି। ବିଦ୍ୟାଳୟର ଦୁଇଜଣ ବରିଷ୍ଠ ଶିକ୍ଷକ ଏହି କମିଟିରେ ରହିବେ। ଆବଶ୍ୟକ ପଡ଼ିଲେ ତୃତୀୟ ସଦସ୍ୟ ଭାବେ ଅନ୍ୟ ଜଣେ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇପାରେ। ସୁପ୍ରିମ କୋର୍ଟ ବସ୍ତୁତଃ ସିବିଏସଇର ଏହି ଯୋଜନା ସହ ରାଜି ଅଛନ୍ତି। ତେବେ ସିଆଇଏସସିଇ ପକ୍ଷରୁ କୁହାଯାଇଛି ଯେ ସେମାନେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ଗତ ୬ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେବେ।

ଚୂଡ଼ାନ୍ତ ଫଳରେ ସଂଶୋଧନ ପାଇଁ ଏକ ବିବାଦ ସମାଧାନ କମିଟି ରହିବା ଆବଶ୍ୟକ ବୋଲି ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ। ସେହିପରି ରେଜଲ୍ଟ କେବେ ବାହାରିବ, ଇଚ୍ଛାଧୀନ ପରୀକ୍ଷା ‌କେବେ କରାଯିବ, ତାହାର ସମୟ ନେଇ ସୂଚନା ଦିଆଯିବା ଆବଶ୍ୟକ। ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ଅର୍ଥାତ୍ ୨୧ ତାରିଖରେ କରିବେ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ‌ଯେଉଁ ଛାତ୍ରଛାତ୍ରୀ ଦ୍ବାଦଶ ‌ଶ୍ରେଣୀ ରେଜଲ୍ଟ ଆବଶ୍ୟକ କରୁଛନ୍ତି, ସେମାନଙ୍କୁ ତାହା କିଭଳି ପ୍ରଦାନ କରାଯିବ, ତାହାର ମୌଳିକ ମାନଦଣ୍ଡ ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବା ଲାଗି ସୁପ୍ରିମ କୋର୍ଟ ଉଭୟ ସିବିଏସଇ ଓ ସିଆଇଏସ୍‌ସିଇକୁ ସମୟ ଦେଇଥିଲେ।

ସମ୍ବନ୍ଧିତ ଖବର