ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ଫଳ ପ୍ରକାଶ ପାସ ହାର ୮୮.୭୮%

ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ନୂଆଦିଲ୍ଲୀ: ସିବିଏସଇ ଦ୍ବାରା ପରିଚାଳିତ ଦ୍ବା‌ଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ପାସ୍‌ ହାର ସାରା ଦେଶରେ ୮୮.୭୮ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପାସ ହାର ୫.୩୮ ପ୍ରତିଶତ ଅଧିକ ରହିଛି। ୨୦୧୯ରେ ପାସ୍‌ ହାର ୮୩.୪୦ ପ୍ରତିଶତ ରହିଥିଲା। ସାରାଦେଶରେ ପରୀକ୍ଷା ଦେବା ପାଇଁ ୧୨ ଲକ୍ଷ ୩ ହଜାର ୫୯୫ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୯୨ ହଜାର ୯୬୧ ଜଣ ପରୀକ୍ଷା ଦେଇଥିବା‌ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୮୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ କ୍ଷେତ୍ରରେ ଛାତ୍ରୀମାନେ ଛାତ୍ରମାନଙ୍କ ତୁଳନାରେ ଆଗରେ ଅଛନ୍ତି। ଛାତ୍ରୀମାନଙ୍କ ପାସ ହାର ୯୨.୧୫ ପ୍ରତିଶତ ଥିବାବେଳେ ଛାତ୍ରମାନଙ୍କ ପାସ୍ ହାର ୮୬.୧୯ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୫.୯୬ ପ୍ରତିଶତ ଅଧିକ ରହିଛି। ତୃତୀୟଲିଙ୍ଗଙ୍କ କ୍ଷେତ୍ରରେ ପାସ୍ ହାର ୬୬.୬୭ ପ୍ରତିଶତ ରହିଛି। ସିବିଏସଇର କହିବା ଅନୁଯାୟୀ, ୩୮,୬୮୬ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ ୧,୫୭,୯୩୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

ଜବାହର ନବୋଦୟ ବିଦ୍ୟାଳୟର ସର୍ବାଧିକ ୯୮.୭୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା‌ବେଳେ ଏହା ପଛକୁ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ଏହାର ୯୮.୬୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଜୋନ୍ ଗୁଡ଼ିକ ଭିତରେ ଥିରୁବନନ୍ତପୁରମ୍ ଜୋନ୍ ସବୁଠୁ ଆଗରେ ରହିଛି। ଏହି ଜୋନ୍‌ରେ ପାସ୍ ହାର ସର୍ବାଧିକ ୯୭.୬୭ ପ୍ରତିଶତ ରହିଛି। ଦ୍ବିତୀୟ ସ୍ଥାନରେ ବେଙ୍ଗାଲୁରୁ ଜୋନ୍ ରହିଛି। ଏହି ଜୋନ୍‌ର ୯୭.୦୫ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୬.୧୭ ପ୍ରତିଶତ ପାସ୍ ହାର ସହ ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ୯୧.୪୬ ପ୍ରତିଶତ ପାସ୍ ହାର ସହିତ ଭୁବନେଶ୍ବର ଜୋନ୍ ଅଷ୍ଟମ ସ୍ଥାନରେ ରହିଛି। ସିବିଏସଇ ପୋର୍ଟାଲ cbseresults.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ବିଦ୍ୟାର୍ଥୀମାନେ ସେମାନଙ୍କ ସ୍କୁଲ କୋଡ୍ ଓ ପରୀକ୍ଷା ରୋଲ୍ ନମ୍ବର ଦେଇ ପରୀକ୍ଷା ଫଳ ସଂପର୍କରେ ଜାଣିପାରିବେ। ଚଳିତବର୍ଷ କରୋନା ପାଇଁ କେତେକ ବିଷୟର ପରୀକ୍ଷା ହୋଇ ପାରି ନଥିଲା। ଛାତ୍ରଛାତ୍ରୀମାନଙ୍କୁ ସିବିଏସଇ ଏକ ଫର୍ମୁଲା ଆଧାରରେ ସେସବୁ ବିଷୟ ପାଇଁ ନମ୍ବର ପ୍ରଦାନ କରିଛି। ତେବେ ଛାତ୍ରଛାତ୍ରୀମାନେ ଚାହିଲେ ଆଗାମୀ ଦିନରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇ ସେମାନଙ୍କ ନମ୍ବରରେ ଉନ୍ନତି ଆଣିପାରିବେ।

ସମ୍ବନ୍ଧିତ ଖବର