ଆଖୁର ଏଫଆରପି କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଖୁର ଏଫଆରପି (ଫେୟାର ଏଣ୍ଡ ରିମୁନେରେଟିଭ ପ୍ରାଇସ) ଅର୍ଥାତ ଚିନି ମିଲମାନେ ଯେଉଁ ସର୍ବନିମ୍ନ ମୂଲ୍ୟ ଦେଇ ଆଖୁଚାଷୀଙ୍କଠାରୁ ଆଖୁ କିଣିଥାନ୍ତି, ତାହାକୁ କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବୃଦ୍ଧି କରି ୨୮୫ ଟଙ୍କା ଧାର୍ଯ୍ୟ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଂଜୁର କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଖୁଚାଷୀମାନେ ଉପକୃତ ହେବେ ।

ପୂର୍ବରୁ କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ପକ୍ଷରୁ ଆଖୁର ଏଫଆରପି କ୍ୱିଣ୍ଟାଲ ପିଛା ୨୭୫ ଟଙ୍କାରୁ ୨୮୫ ଟଙ୍କାକୁ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ଦିଆଯାଇଥିଲା । ସେହିପରି କୃଷି ମୂଲ୍ୟ ଓ ଦରଦାମ ଆୟୋଗ ପକ୍ଷରୁ ମଧ୍ୟ ସମାନ ସୁପାରିଶ କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ଆଖୁ (ନିୟନ୍ତ୍ରଣ) ନିର୍ଦ୍ଦେଶ ୧୯୬୬ ଅନୁସାରେ ଚିନିମିଲ ମାନେ ଏଫଆରପି ମୂଲ୍ୟରୁ କମ ମୂଲ୍ୟରେ ଆଖୁ କିଣିପାରିବେ ନାହିଁ । ତେବେ ଦେଶର ପ୍ରମୁଖ ଆଖୁ ଉତ୍ପାଦନକାରୀ ରାଜ୍ୟ ଯଥା ଉତ୍ତରପ୍ରଦେଶ, ପଂଜାବ, ହରିୟାଣା ନିଜ ରାଜ୍ୟରେ ନିଜେ ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରନ୍ତି । ସାଧାରଣତଃ ଏହା କେନ୍ଦ୍ର ସରକାରଙ୍କ ଏଫଆରପିଠାରୁ ଅଧିକ ଥାଏ ।

ସମ୍ବନ୍ଧିତ ଖବର