ଇରାକରେ ସିସିଏଚ୍‌ଏଫ୍‌ ଭାଇରସ୍‌ ଆତଙ୍କ, ନେଲାଣି ୧୯ ଜୀବନ

ବାଗଦାଦ/ନୂଆଦିଲ୍ଲୀ: ଇରାକରେ ସିସିଏଚ୍‌ଏଫ୍‌ (କ୍ରିମିଆନ-କଙ୍ଗୋ ହାମେରୋଜିକ୍ ଫିଭର) ଭାଇରସ୍‌ ଭୟଙ୍କର ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଜର ହେବା ସହିତ ସେମାନଙ୍କ ନାକରୁ ରକ୍ତ ବାହାରି ମୃତ୍ୟୁ ହୋଇଛି। ଉକ୍ତ ରୋଗରେ ଚଳିତବର୍ଷ ଇରାକରେ ୧୧୧ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ହେଲାଣି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଇରାକର ଗ୍ରାମାଞ୍ଚଳରେ ଉକ୍ତ ରୋଗ ବ୍ୟାପକ ମାତ୍ରାରେ ବ୍ୟାପୁଛି। ଦେଶର ଦକ୍ଷିଣରେ ଥିବା ପ୍ରଦେଶ ଏଲନ୍‌ରେ ଦେଶର ଅଧା ମାମଲା ଦେଖାଦେଇଛି। ଚିକିତ୍ସକଙ୍କ କହିବାନୁଯାୟୀ ଉକ୍ତ ଭାଇରସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରର ଭିତରେ ଏବଂ ବାହାରେ ପ୍ରବଳ ରକ୍ତସ୍ରାବ ହେଉଛି। ବିଶେଷକରି ନାକରୁ ରକ୍ତ ବୋହୁଛି। ଭାଇରସରେ ଆକ୍ରାନ୍ତ ଦୁଇ ପଞ୍ଚମାଂଶ ଲୋକଙ୍କର ମୃତ୍ୟୁ ହୋଇଛି। ୪୩ ବର୍ଷ ପୂର୍ବେ ୧୯୭୯ ମସିହାରେ ଇରାକରେ ପ୍ରଥମେ ଏହି ଭୂତାଣୁ ଦେଖାଦେଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଘର କହିବାନୁଯାୟୀ ଉକ୍ତ ରୋଗରେ ମୃତ୍ୟୁହାର ୧୦ ପ୍ରତିଶତରୁ ୪୦ ପ୍ରତିଶତ। ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନର କହିବାନୁଯାୟୀ, ଉକ୍ତ ରୋଗ ପ୍ରଥମେ କ୍ରିମିଆରେ ୧୯୪୪ ମସିହାରେ ଦେଖାଦେଇଥିଲା। ଫଳରେ ଏହାର ନାମ କ୍ରିମିଆନ ହେମୋରେଜିକ ଫିଭର ଦିଆଯାଇଥିଲା। ପଳରେ ୧୯୬୯ ମସିହାରେ କଙ୍ଗୋରେ ଏହା ଦେଖିବାକୁ ମିଳିବା ପରେ ଏହାର ନାମ ବଦଳାଇ କ୍ରିମିଆନ-କଙ୍ଗୋ ହେମୋରେଜିକ୍ ଫିଭର ରଖାଯାଇଛି।

ସମ୍ବନ୍ଧିତ ଖବର