ଅଙ୍କୁଶ ଲଗାଇଲେ ସୁପ୍ରିମ୍‌ କୋର୍ଟ : ଜେରା ବେଳେ ସିସିଟିଭି, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶର ସମସ୍ତ ଥାନା ହାଜତ, ସିବିଆଇ, ଏନ୍‌ଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ତଦନ୍ତକାରୀ ସଂସ୍ଥା‌ ଜେରା କରିବାବେଳେ ନାଇଟ୍‌ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଥାନାମାନଙ୍କରେ ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ୍‌ ଲଗାଯିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କୁ ଜେରା ପାଇଁ ବ୍ୟବହାର କରାଯାଉଥିବା କୋଠରୀ ଓ ହାଜତର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ବାରମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ। କେବଳ ଏତିକି ନୁହେଁ ଲବି, ରିସେପସନ ଅଞ୍ଚଳ, ଇନ୍ସପେକ୍ଟର, ଏସଆଇ କୋଠରୀ ଏବଂ ବାଥରୁମ ବାହାରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବା ଦରକାର। ୬ ମାସ ମଧ୍ୟରେ ଏହି ଆଦେଶକକୁ କାର୍ଯ୍ୟକାରୀ କରିବା ସହିତ ଏସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ସରକାରଙ୍କୁ କୁହାଯାଇଛି। ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୨୭ ତାରିଖରେ ହେବ। ହାଜତରେ ନିର୍ଯାତନା ଅଭିଯୋଗର ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ମାନବାଧିକାର କମିସନ କୋର୍ଟ ପ୍ରତିଷ୍ଠା ଲାଗି ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି।

ସେହିଭଳି ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ, ଡିଆର୍‌ଏସ୍‌ (ରାଜସ୍ବ ଗୁଇନ୍ଦ‌ା ନିର୍ଦ୍ଦେଶାଳୟ)ରେ ମଧ୍ୟ ସିସିଟିଭି ଲଗାଯିବାକୁ ସୁପ୍ରିମ୍‌ ‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଡିଓ ରେକର୍ଡିଂଗୁଡ଼ିକ ୧୮ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରହିବା ଜରୁରୀ ବୋଲି କୋର୍ଟ କହିଛନ୍ତି। ରାଜ୍ୟମାନେ ଆସନ୍ତା ୬ ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ପରେ

କେନ୍ଦ୍ର, ରାଜ୍ୟ ଓ ‌କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ଅଧିକ ଡାଟା ସମ୍ବଳିତ ଏବଂ ଶକ୍ତିଶାଳୀ ସିସିଟିଭି କ୍ୟାମେରା କିଣିବେ। ଏଥିପାଇଁ ପାଣ୍ଠି ଯୋଗାଇବା ଲାଗି କୁହାଯାଇଛି। ୨୦୧୮ରେ ଏସଂର୍କରେ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉ ନଥିବାରୁ ସୁପ୍ରିମ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।

ସୁପ୍ରିମ୍‌ କୋର୍ଟର ବିଚାରପତି ଆର୍‌.ଏଫ୍‌. ନରିମନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବର ଏକ ହାଜତ ମୃତ୍ୟୁ ମାମଲାର ଶୁଣାଣି ବେଳେ ସୁପ୍ରିମ୍‌ ‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର