ସିସିଟିଭି ଫୁଟେଜ୍‌ ହେରଫେର୍‌ ହୋଇଛି! କେଜ୍ରିଓ୍ଵାଲ୍‌ଙ୍କଠାରୁ କ୍ଷମା ପ୍ରାର୍ଥନା ଦାବିରେ କଳା ଫିତା ପିନ୍ଧିଲେ ଆଇଏଏସ ଅଧିକାରୀ

ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆପ୍‌ ବିଧାୟକମାନେ ଆକ୍ରମଣ କରିଥିବା ଘଟଣା ଦିନକୁ ଦିନ ଆହୁରି ରହସ୍ୟମୟ ହେଉଛି। କେଜ୍ରିଓ୍ଵାଲ୍‌ଙ୍କ ବାସଗୃହରୁ ପୁଲିସ ଜବତ କରିଥିଲା ଯେଉଁ ସିସିଟିଭି ଫୁଟେଜ୍‌ରେ ହେରଫେର ହୋଇଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଆଜି ଦିଲ୍ଲୀର ଏକ ଅଦାଲତରେ ଆଶଙ୍କା ପ୍ରକାଶ କରାଯାଇଛି। କ୍ଲିପ୍‌ରେ ରହିଥିବା ସମୟ ଛାପ ସମ୍ପୃକ୍ତ ଦିନର ଘଟଣାକ୍ରମ ସହ ଆଦୌ ମେଳ ଖାଉନି ବୋଲି ପୁଲିସ କହିିଛି। ଅପରପକ୍ଷେ, ଏହି ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି ଦିଲ୍ଲୀ ଆଇଏଏସ୍‌ ଅଧିକାରୀମାନେ କଳା ଫିତା ପିନ୍ଧିବା ସହ କେଜ୍ରିଓ୍ଵାଲ୍‌ଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ସେହିପରି କେଜ୍ରିଓ୍ଵାଲ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଉକ୍ତ ଘଟଣାକୁ ଅସ୍ୱୀକାର କରୁଥିବାରୁ ସେମାନେ ଏହି ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଆଇଏଏସ ମଞ୍ଚ ଅଭିଯୋଗ କରିଛନ୍ତି।
ଅତିରିକ୍ତ ଡିସିପି ହରେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ, ଅନ୍ୟ ଆପ୍‌ ବିଧାୟକ ଏବଂ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ହୋଇଥିବା ଉକ୍ତ ବୈଠକ କ୍ୟାମ୍ପ୍‌ ଅଫିସରେ ନହୋଇ ମୁଖ୍ୟମନ୍ତ୍ରୀଙ୍କ ଡ୍ରଇଂ ରୁମ୍‌ରେ ହୋଇଥିଲା। ତେବେ ବୈଠକର ସମୟ ସହ ସିସିଟିଭି ଫୁଟେଜ୍‌ର ସମୟ ଭିନ୍ନ ଥିବାରୁ ସିସିଟିଭି ଫୁଟେଜ୍‌ରେ ହେରଫେର ହୋଇଥିବା ଅନୁମାନ କରପାଯାଉଛି। ତେବେ ଏହାର ଫରେନ୍ସିକ୍‌ ଯାଞ୍ଚ୍‌ ପରେ ସବୁ ସ୍ପଷ୍ଟ ହେବ ବୋଲି ଦିଲ୍ଲୀ ପୁଲିସ ଅଦାଲତଙ୍କୁ ଜଣାଇଛିି। ଅନ୍ୟପକ୍ଷରେ, ଗିରଫ ଦୁଇ ଆପ୍‌ ବିଧାୟକଙ୍କ ଆଜି ଜାମିନ୍‌ ଆବେଦନର ଶୁଣାଣି ସମୟରେ ପୁଲିସ ଆଣିଥିବା ସିସିଟିଭି ଫୁଟେଜ୍‌ ହେରଫେରର ପ୍ରମାଣ ଦେଉ ବୋଲି ସେମାନଙ୍କ ଆଇନଜୀବୀ ଯୁକ୍ତି ବାଢ଼ିଛନ୍ତି।
ଅପରପକ୍ଷେ, ଦିଲ୍ଲୀ ସରକାର ପ୍ରତ୍ୟେକ ସରକାରୀ ବୈଠର ସିଧାପ୍ରସାରଣ ପାଇଁ ବିଚାର କରୁଥିବା ଜଣାଯାଇଛି। ଏହାଦ୍ୱାରା ପ୍ରତ୍ୟେକ ବୈଠକର ସିଧା ପ୍ରସାରଣ ସହ କଥାବାର୍ତ୍ତା ବିବରଣୀ ମଧ୍ୟ େଓ୍ଵବ୍‌ ପୋର୍ଟାଲ୍‌ରେ ଉପଲବ୍ଧ ହେବ। ଏହି ଯୋଜନାକୁ ମଞ୍ଜୁରି ମିଳିଲେ ଆସନ୍ତା ବଜେଟ୍‌ରେ ଏଥିପାଇଁ ପାଣ୍ଠି ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର