ଆଗ୍ରା: ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ବହୁଚର୍ଚ୍ଚିତ ହାଥ୍ରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ଏହି ମାମଲାର ତଦନ୍ତ କରୁଥିବା ସେଣ୍ଟ୍ରାଲ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ(ସିବିଆଇ) ଘଟଣାର ତଦନ୍ତ ଲାଗି ପହଞ୍ଚିଥିଲା ଜିଲ୍ଲା ହସ୍ପିଟାଲ୍ରେ। ମାତ୍ର ଦୁର୍ଭାଗ୍ୟକୁ ସିବିଆଇ ଅଧିକାରୀମାନେ ଯେଉଁ ଜିନିଷକୁ ଖୋଜିବାକୁ ଯାଇ ହସ୍ପିଟାଲ୍ରେ ପହଞ୍ଚିଥିଲେ, ତାହା ସେଠାରୁ ସେମାନଙ୍କୁ ମିଳିଲା ନାହିଁ।
ସେପ୍ଟେମ୍ବର ୧୪ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ହସ୍ପିଟାଲ୍ର ସିସିଟିଭି ଫୁଟେଜ୍ ପାଇଁ ସିବିଆଇ ଅଧିକାରୀମାନେ ହସ୍ପିଟାଲ୍ରେ ପହଞ୍ଚିଥିଲେ। ମାତ୍ର ସେଦିନର ଫୁଟେଜ୍ର ବ୍ୟାକ୍ଅପ୍ ସେମାନଙ୍କୁ ମିଳିପାରି ନାହିଁ।
/sambad/media/post_attachments/wp-content/uploads/2020/10/Untitled-36-300x201.jpg)
ଏ ନେଇ ଡାକ୍ତରଖାନାର ମୁଖ୍ୟ ସୁପରିଟେଣ୍ଡେଣ୍ଟ୍ ଇନ୍ଦ୍ରବୀର ସିଂ କହିଛନ୍ତି, ‘ଜିଲ୍ଲା ପ୍ରଶାସନ ଓ ପୁଲିସ୍ ସେତେବେଳେ ଫୁଟେଜ ମାଗିନଥିଲେ। ବର୍ତ୍ତମାନ ଏକ ମାସ ପରେ ଆମେ ଏହାକୁ ଦେଇ ପାରିବୁ ନାହିଁ। ଆଗରୁ କହିଥିଲେ ଆମେ ଏହାକୁ ସୁରକ୍ଷିତ ଭାବେ ରଖିଥାନ୍ତୁ। ପ୍ରତ୍ୟେକ ୭ ଦିନରେ ପୁରୁଣା ଫୁଟେଜ୍ ଡିଲିଟ୍ ହୋଇଯାଏ। ଫୁଟେଜ୍ କଥା ପୂର୍ବରୁ କହିଥିଲେ ଆମେ ତାହାକୁ ଡିଲିଟ୍ ହେବା ପୂର୍ବରୁ ସେଭ୍ କରି ରଖିଥାନ୍ତୁ।’
ସିବିଆଇ ଟିମ୍ ଡାକ୍ତରମାନଙ୍କ ବୟାନ ରେକର୍ଡ କରିବା ସହ କିଛି ପ୍ରମାଣ ହାତେଇବାକୁ ହସ୍ପିଟାଲ୍ରେ ପହଞ୍ଚିଥିଲା। ପ୍ରଥମ ଦିନର ଫୁଟେଜ୍ ଅତ୍ୟନ୍ତ ଆବଶ୍ୟକୀୟ ହୋଇଥିବା ବେଳେ ଏହା ଏବେ ଆଉ ମିଳିପାରିବ ନାହିଁ ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି।
ସିବିଆଇ ହାତରେ ସିସିଟିଭି ଫୁଟେଜ୍ ଲାଗିଥିଲେ ପୀଡ଼ିତା କେତେବେଳେ ଡାକ୍ତରଖାନାକୁ ଆସିଥିଲେ, କେତେବେଳେ ଯାଇଥିଲେ, ସେ ଡାକ୍ତରଖାନାରେ ଥିବା ବେଳେ କେଉଁମାନେ ତାଙ୍କ ସହ ଉପସ୍ଥିତ ଥିଲେ ଓ କିଏ ସବୁ ତାଙ୍କୁ ଭେଟିବାକୁ ଆସିଥିଲେ ତାହା ସ୍ପଷ୍ଟ ହୋଇଯାଇଥାଆନ୍ତା।