‘ବେଟି ବଚାଓ ବେଟି ପଢାଓ’ ପୋଷ୍ଟରରେ  ବିଚ୍ଛିନତାବାଦୀ ନେତ୍ରୀ: ସିଡିପିଓ ନିଲମ୍ବିତ

ଶ୍ରୀନଗର : ‘ବେଟି ବଚାଓ ବେଟି ପଢାଓ’ ପୋଷ୍ଟରରେ ବିଚ୍ଛିନତାବାଦୀ ନେତ୍ରୀ ଅସିୟା ଅନ୍ଦ୍ରାବୀଙ୍କ ଫଟୋ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି। ଦକ୍ଷିଣ କଶ୍ମୀରର କୋକେରନାଗ୍‌ ଅଞ୍ଚଳରେ ଗତକାଲି ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଭାରତର ସଫଳ ମହିଳାମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ‘ବେଟି ବଚାଓ ବେଟି ପଢାଓ ପୋଷ୍ଟର’ର ଉନ୍ମୋଚିତ  ହୋଇଥିଲା। ତେବେ ପୋଷ୍ଟରରେ ଇନ୍ଦିରା ଗାନ୍ଧୀ, ମଦର ଟେରେସା, ମେହବୁବା ମୁଫ୍‌ତି, କିରନ ବେଦି, ସାନିଆ ମିର୍ଜାଙ୍କ ସହ ୧୨ଜଣ ସଫଳ ମହିଳାଙ୍କ ମଧ୍ୟରେ ବିଚ୍ଛିନତାବାଦୀ ନେତ୍ରୀ ଆସିୟାଙ୍କ ଫଟୋ ମଧ୍ୟ ରହିଥିଲା।  ତେବେ ଏଥିନେଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଅନନ୍ତନାଗର ବ୍ରେଙ୍ଗ୍‌ ବ୍ଲକ୍‌ର ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ) ନିଲମ୍ବିତ ହୋଇଥିବା ଅନନ୍ତନାଗର ଡେପୁଟି କମିସନରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରୁ ଜଣାଯାଇଛି। ଜମ୍ମୁ କଶ୍ମୀର ସହ ପାକିସ୍ତାନର ସମ୍ମିଶ୍ରଣକୁ ଖୋଲାଖୋଲି ସମର୍ଥନ କରୁଥିବା ଅନ୍ଦ୍ରାବୀଙ୍କ ବିରୋଧରେ ଅନେକ ମାମଲା ରୁଜ୍ଜୁ ହୋଇଛି ଏବଂ ସେ ବର୍ତ୍ତମାନ ଜେଲ୍‌ ଦଣ୍ଡ ଭୋଗୁଥିବାବେଳେ  ସଫଳ ମହିଳାମାନଙ୍କ ମଧ୍ୟରେ ତାଙ୍କ ଫଟୋ ପ୍ରକାଶ ପାଇବା ବେଶ୍‌ ଆଲୋଡ଼ନ  ସୃଷ୍ଟି କରିଛି। ପାକିସ୍ତାନର ସ୍ୱାଧୀନତା ଏବଂ ଜାତୀୟ ଦିବସ ଯଥାକ୍ରମେ ଅଗଷ୍ଟ ୧୪  ଏବଂ ମାର୍ଚ୍ଚ ୨୩ରେ ପାକିସ୍ତାନ ଜାତୀୟ ପତାକା ଉଡ଼ାଇ ଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ତେବେ ଏହି ପୋଷ୍ଟର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ମୁଫ୍‌ତି ସରକାର ଏଥିନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର