ନୂଆଦିଲ୍ଲୀ: ୪୦ ବର୍ଷରୁ ଅଧିକ ସମୟ ଧରି ସାମରିକ ସେବାରେ ନିୟୋଜିତ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଏବେ ତିନି ସେନାର ସର୍ବୋଚ୍ଚ ଅଧିକାର। ଗତକାଲି ଦେଶର ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଦାୟିତ୍ବ ଗ୍ରହଣ କରିଥିବା ଚୌହାନଙ୍କର ଜମ୍ମୁ-କାଶ୍ମୀର ଏବଂ ପୂର୍ବୋତ୍ତର ରାଜ୍ୟରଆତଙ୍କବାଦ ବିରୋଧୀ ଅଭିଯାନରେ ବ୍ୟାପକ ଅନୁଭବ ରହିଛି। ଚୀନ୍ ମାମଲାରେ ମଧ୍ୟ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଏହାସହିତ ପରିବର୍ତ୍ତିତ ବଶ୍ବ ଦୃଶ୍ୟପଟରେ ନୂଆ ଯୁଦ୍ଧ କୌଶଳ ଓ ଯୁଦ୍ଧାସ୍ତ୍ର ପ୍ରୟୋଗ ନେଇ ମଧ୍ୟ ତାଙ୍କର ଅନୁଧ୍ୟାନ ବେଶ୍ ଗଭୀର। ତେବେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଏବଂ ଦ୍ବିତୀୟ ସିଡିଏସ୍ ଚୌହାନଙ୍କ କାର୍ଯ୍ୟଧାରାରେ ଅନେକ ଫରକ ରହିବ ବୋଲି ତାଙ୍କର ସମସାମୟିକ ସହଯୋଗୀମାନେ କହିଛନ୍ତି। ଜେନେରାଲ ରାୱତ ସିଧାସଳଖ ଜନସାଧାରଣ ଓ ଗଣମାଧ୍ୟମରେ ତାଙ୍କ ମତ ରଖୁଥିବା ବେଳେ ଚୀନ୍ ଓ ପାକିସ୍ତାନକୁ ନେଇ ତାଙ୍କ ଆଭିମୁଖ୍ୟ ମଧ୍ୟ ବେଶ୍ କଠୋର ରହିଥିଲା।
ଚୀନ୍ର ଆକ୍ରମଣାତ୍ମକ ପଦକ୍ଷେପର ମୁକାବିଲା ପାଇଁ ରାୱତଙ୍କ ଶୂନ୍ୟ ସହନଶୀଳ ନୀତି ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା। ଅନ୍ୟପକ୍ଷରେ ଜେନେରାଲ ଚୌହାନ ତାଙ୍କ ଆଚରଣରେ ବହୁତ ଶାନ୍ତ କିନ୍ତୁ କାର୍ଯ୍ୟ ରୂପାୟନରେ ଅତ୍ୟନ୍ତ କଠୋର। ସଂପୂର୍ଣ୍ଣ ନିଷ୍ଠା ଓ ପାରଦର୍ଶିତାର ସହ ଦାୟିତ୍ବ ସଂପାଦନ କରିବାରେ ତାଙ୍କର ବିଶେଷ ସୁଖ୍ୟାତି ରହିଛି । ସହଯୋଗୀ ଓ ବରିଷ୍ଠମାନଙ୍କ ସହ ମତାନ୍ତର କ୍ଷେତ୍ରରେ ମଧ୍ୟ ସେ ଶତ ପ୍ରତିଶତ ଅନୁଶାସନ ଭିତରେ ହିଁ ନିଜ ଦାୟିତ୍ବ ସଂପାଦନ କରନ୍ତି ଏବଂ ତାଙ୍କର ସାହସ ଓ ନିଷ୍ଠାକୁ ସମସ୍ତେ ପସନ୍ଦ କରନ୍ତି ବୋଲି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଶୋକିନ୍ ଚୌହାନ କହିଛନ୍ତି। ଅନୀଲ ଚୌହାନ ନିଜ ମତ ସର୍ବଦା ସ୍ପଷ୍ଟ ଭାବେ ଉପସ୍ଥାପନ କରନ୍ତି ଏବଂ ଯଥୋଚିତ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଅନ୍ତ। ‘ଅଗ୍ନିପଥ’ ଏବଂ ‘ଅଗ୍ନିବୀର’ ଯୋଜନା ନେଇ ସେ ଯେଉଁ ସଂସ୍କାରଧର୍ମୀ ପ୍ରସ୍ତାବ ଦେଇଥିଲେ ତାହାକୁ ବିଶେଷ ଗୁରୁତ୍ବ ଦିଆଯାଇଛି।
ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ସହ ମଧ୍ୟ ଚୌହାନ ଘନିଷ୍ଠ ଭାବେ କାର୍ଯ୍ୟ କରିଛନ୍ତି। ଏନ୍ଏସ୍ଏର ସାମରିକ ଉପଦେଷ୍ଟା ଥିବା ବେଳେ ଏଥିରେ ତାଙ୍କର ସଂପୃକ୍ତି ବେଶ ଗଭୀର ଥିଲା ବୋଲି କୁହାଯାଉଛି। ଚୀନ୍ ସୀମାରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଚୌହାନଙ୍କ କାର୍ଯ୍ୟ ଏବଂ ଅଭିଜ୍ଞତା ମଧ୍ୟ ତାଙ୍କ ନିଯୁକ୍ତି ପଛର ଅନ୍ୟତମ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ କାରଣ ବୋଲି କୁହାଯାଉଛି।ଚୌହାନ ତାଙ୍କର ବ୍ୟସ୍ତ ବହୁଳ କ୍ୟାରିଅର ଭିତରେ ଦୁଇଟି ପୁସ୍ତକ ରଚନା କରିଛନ୍ତି। ଏଥିରେ ଗୋଟିଏ ପୁସ୍ତକ ପରମାଣୁ ଯୁଦ୍ଧାସ୍ତ୍ର ସଂପର୍କିତ। ଚୌହାନ ତାଙ୍କର କାର୍ଯ୍ୟକାଳ ଭିତରେ ମିଳିତ ଥିଏଟର କମାଣ୍ଡର ସ୍ଥାପନା ଲକ୍ଷ୍ୟ ହାସଲ କରିବାକୁ ସର୍ବାଧିକ ପ୍ରାଥମିକତା ଦେବେ। ସେନାର ଆଧୁନିକୀକରଣ ତ୍ବରାନ୍ବିତ କରିବା ଏବଂ ସୀମାରେ ଏକ ପାରଦର୍ଶୀ ସୁରକ୍ଷା ନୀତି କାର୍ଯ୍ୟକାରୀ କରିବା ମଧ୍ୟ ଚୌହାନଙ୍କ ପ୍ରାଥମିକତା ରହିବ।