ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବେଳେ କେମିତି ଯୁଦ୍ଧ ଲଢୁଥିଲା ଭାରତ । ଷ୍ଟ୍ରାଇକ୍ ସହ କେମିତି ରାଜନୈତିକ ଚାପ ପଡୁଥିଲା ଏବଂ ପାକିସ୍ତାନ କେମିତି ସମୟ ବିତିବା ସହ ଭାରତ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଥିଲା ସେସବୁର ଖୁଲାସା କରିଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ ଜେନେରାଲ ଅନିଲ ଚୌହ୍ୱାନ । ସେ କହିଛନ୍ତି, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ପାକିସ୍ତାନକୁ ଫୋନ କରି କୁହାଯାଇଥିଲା, ଯଦି ପହଲଗାମ ଘଟଣାର ପୁନରାବୃତ୍ତି ହେବ ତେବେ ପରବର୍ତ୍ତୀ ସମୟରେ ଅଧିକ କଡ଼ା ଜବାବ ଦିଆଯିବ ।
ତେବେ ଭାରତ ଆଗରେ ଖୁବ କମ ସମୟରେ ପାକିସ୍ତାନ ହାର ମାନିଥିଲା ବୋଲି ସିଡିଏସ କହିଛନ୍ତି । କେବଳ ୮ ଘଣ୍ଟାରେ ହିଁ ଆଣ୍ଠେଇଥିଲା ପାକିସ୍ତାନ । ୪୮ ଘଣ୍ଟାର ଲଢ଼େଇକୁ ୮ ଘଣ୍ଟାରେ ସାରିଥିଲା ଭାରତ । ଆଉ ଆକ୍ରମଣ କିଛି ସମୟ ପରେ ହିଁ ଆଲୋଚନା ଚାହିଁଥିଲା ପାକିସ୍ତାନ ।
ସିଡିଏସ କହିଛନ୍ତି, ୧୦ ତାରିଖ ରାତି ଗୋଟାଏ ବେଳକୁ ପାକିସ୍ତାନ ଯୁଦ୍ଧ ହାରି ସାରିଥିଲା । ଫୋନରେ ଭାରତ ସହ କଥା ହୋଇଥିଲା.. ତେବେ କ୍ଷତି ଅପେକ୍ଷା ଫଳାଫଳ ଅଧିକ ଗୁରୁତ୍ବ ରଖେ ବୋଲି ସେ କହିଛନ୍ତି । ଅପରେସନ ସିନ୍ଦୂର ବେଳେ ସେନସେସର ଟେକ୍ନୋଲୋଜି, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବଡ ଭୂମିକା ତୁଲାଇଛି । ଆଗାମୀ ଦିନରେ କୌଣସି ଧମକ ଆଦୌ ବରଦାସ୍ତ କରାଯିବନି ଏଥିସହ ଅପରେସନ ସିନ୍ଦୂର ଜାରି ରହିଛି ବୋଲି ସିଡିଏସ କହିଛନ୍ତି ।