ନୂଆଦିଲ୍ଲୀ : ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର ତିନିସେନା ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏଥିରେ କୌଣସି ଷଡ଼ଯନ୍ତ୍ର ସମ୍ଭାବନାକୁ ଅସ୍ବୀକାର କରାଯାଇଛି । ଦୁର୍ଘଟଣା ପାଇଁ ଖରାପ ପାଗକୁ ଦାୟୀ କରାଯାଇଛି । ଏଥିରେ କୁହାଯାଇଛି ଯେ ହେଲିକପ୍ଟର ଯାଉଥିବାବେଳେ ହଠାତ୍ ପାଗ ଖରାପ ହୋଇଯାଇଥିଲା । ହେଲିକପ୍ଟର ଆଗକୁ ମେଘ ଘୋଟିଆସିବାରୁ ପାଇଲଟ୍ ହଡ଼ବଡ଼େଇ ନିୟନ୍ତ୍ରଣ ହରାଇଥିଲେ ଓ ହେଲିକପ୍ଟରଟି ପାହାଡ଼ରେ ଧକ୍କା ହୋଇଥିଲା ।
ଏୟାର ମାର୍ସାଲ ମାନବିନ୍ଦର ସିଂଙ୍କ ନେତୃତ୍ବରେ ଥିବା ତଦନ୍ତ କମିଟି ନିଜ ରିପୋର୍ଟରେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ସବିଶେଷ ଦର୍ଶାଇଛି । ଏହି ତଦନ୍ତକାରୀ ଦଳ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଏମଆଇ-୧୭ ହେଲିକପ୍ଟର ନିର୍ମାଣ କରୁଥିବା ଋଷିଆ କମ୍ପାନି ସହ ଯୋଗାଯୋଗ କରିଥିଲା । ଏହା ମାଧ୍ୟମରେ ଦୁର୍ଘଟଣାର କାରଣ ସଂପର୍କରେ ଋଷୀୟ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଥିଲା ।
ଗତ ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରେ ସିଡିଏସ ପଦଟି ହଠାତ ଖାଲି ହୋଇଯାଇଥିଲା ।