ସିଡିଏସ୍‌ ଜେନେରାଲ ଅନିଲ ଚୌହାନ ଜମ୍ମୁ ଗସ୍ତରେ ଆସି ସୁରକ୍ଷା ସମୀକ୍ଷା କଲେ

ଜମ୍ମୁ: ଜମ୍ମୁରେ ସୁରକ୍ଷା ସ୍ଥିତି ଓ ଅପରେସନ୍‌ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଚିଫ୍‌ ଅଫ୍‌ ଡିଫେନ୍‌ସ ଷ୍ଟାଫ୍‌ ଜେନେରାଲ ଅନିଲ ଚୌହାନ ସୋମବାର ଦିନିକିଆ ଗସ୍ତରେ ଜମ୍ମୁ ଆସିଛନ୍ତି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷା ସ୍ଥିତି ଏବଂ ବାର୍ଷିକ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପରେ ଜେନେରାଲ ଚୌହାନ ଏହି ଗସ୍ତ କରିଛନ୍ତି।

ସିଡିଏସ୍‌ ଜେନେରାଲ ଅନିଲ ଚୌହାନ ନାଗରୋଟାସ୍ଥିତ ୧୬ କୋର ମୁଖ୍ୟାଳୟରେ ପହଞ୍ଚି ଅଞ୍ଚଳର ସୁରକ୍ଷା ସ୍ଥିତି ଏବଂ ସୁରକ୍ଷା ବାହିନୀର ପରିଚାଳନାଗତ ପ୍ରସ୍ତୁତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ଉତ୍ତର ସେନା କମାଣ୍ଡର ଏବଂ ଜେନେରାଲ ଅଫିସର କମାଣ୍ଡିଂ (ଜିଓସି)ଙ୍କ ସମେତ ସେନାର ଶୀର୍ଷ କମାଣ୍ଡରମାନେ ତାଙ୍କୁ ଏହି ସୂଚନା ଦେବେ।

ଜମ୍ମୁ ଅଂଚଳରେ ବଢୁଥିବା ଆତଙ୍କବାଦର ମୁକାବିଲା ପାଇଁ ଏକ ସୁଦୃଢ଼ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ସ୍ତରରେ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଗତ ସପ୍ତାହରେ ଜମ୍ମୁ-କଶ୍ମୀରର ରିଆସି, କଠୁଆ ଏବଂ ଡୋଡା ଜିଲ୍ଲାର ୪ଟି ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରି ୯ ଜଣ ତୀର୍ଥଯାତ୍ରୀ ଏବଂ ଜଣେ ସିଆରପିଏଫ୍‌ ଯବାନଙ୍କୁ ହତ୍ୟା କରିବା ସହ ୭ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ।

ଅନ୍ୟପକ୍ଷରେ କଠୁଆ ଜିଲ୍ଲାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଦୁଇ ଜଣ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜୁନ୍‌ ୯ ତାରିଖରେ ଶିବ ଖୋରି ମନ୍ଦିରରୁ କଟ୍ରାସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର ଅଭିମୁଖେ ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳିମାଡ ପରେ ବସ୍‌ଟି ଗଭୀର ଘାଟିକୁ ଖସି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର