ନିଜ ଦରମାରୁ ୧ବର୍ଷ ପାଇଁ ପିଏମ କେୟାର୍ସ ଫଣ୍ଡକୁ ମାସିକ ୫୦,୦୦୦ଟଙ୍କା ଲେଖାଁଏ ଦାନ କରିବେ ସିଡିଏସ ବିପିନ ରାୱତ୍
ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ଥିବାବେଳେ ଭାରତରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି | କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ କିଛି ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ପିଏମ କେୟାର୍ସ ଫଣ୍ଡ ଗଠନ କରିଥିବା ବେଳେ ଦେଶବାସୀଙ୍କୁ ଏଥିରେ ଦାନ ଦେବା ପାଇଁ ଆହ୍ୱାନ କରିଥିଲେ | ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଅନେକ ନେତା, ଅଭିନେତା ଏବଂ ସାଧାରଣ ଲୋକ ପିଏମ କେୟାର୍ସ ଫଣ୍ଡକୁ ତାଙ୍କ ଦାନ କରିଥିଲେ | ଏବେ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ୍ ତାଙ୍କ ଦରମାରୁ ମାସିକ ୫୦,୦୦୦ଟଙ୍କା ଲେଖାଁଏ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବା ଆରମ୍ଭ କରିଛନ୍ତି। କୋଭିଡ -୧୯ମହାମାରୀର ମୁକାବିଲା ପାଇଁ ସେ ଆସନ୍ତା ୧୨ମାସ ପାଇଁ ଏହି ପାଣ୍ଠିକୁ ନିଜ ଦରମାରୁ ୫୦,୦୦୦ଟଙ୍କା ଦାନ କରିବେ ବୋଲି ଜଣା ପଡିଛି |
ମାର୍ଚ୍ଚ ମାସରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଆସନ୍ତା ୧ବର୍ଷ ପାଇଁ ତାଙ୍କ ବେତନରୁ ୫୦,୦୦୦ଟଙ୍କା କାଟି ପିଏମ-କେୟାର ପାଣ୍ଠିରେ ଜମା କରିବାକୁ ଚିଠି ଲେଖିଥିଲେ। ଏହି ଚିଠି ଲେଖାଯିବା ପରେ ଏପ୍ରିଲ ମାସର ବେତନରୁ ୫୦,୦୦୦ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ଦାନ କରାଯାଇଥିଲା |

ସୂଚନା ମୁତାବକ, ପିଏମ କେୟାର୍ସ ଫଣ୍ଡ ଗଠନ ପରେ ପରେ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ୍ ନିଜର ଅନ୍ୟ ପ୍ରତିରକ୍ଷା ସେବା କର୍ମଚାରୀଙ୍କ ସହ ମିଶି ଗୋଟେ ଦିନର ଦରମା ଦାନ କରିଥିଲେ | ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀମାନଙ୍କୁ ଆଗାମୀ ଏକ ବର୍ଷ ପାଇଁ ପ୍ରତି ମାସରେ ଗୋଟିଏ ଦିନର ଦରମା ଦାନ କରିବାର ବିକଳ୍ପ ଦିଆଯାଇଛି ଏବଂ ଏହା ସ୍ୱେଚ୍ଛାକୃତ ଭାବେ କରାଯିବ |