ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ନିୟନ୍ତ୍ରଣ ରେଖା(ଏଲ୍ଓସି)ରେ ବି ଅସ୍ତ୍ରବିରତି ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ଭାରତର ବିଦେଶ ସଚିବ ବିକ୍ରମ ମିସ୍ରି ଆଜି ଏହି ସୂଚନା ଦେଇଛନ୍ତି। ପାକିସ୍ତାନର ସାମରିକ ଅପରେସନ୍ ମହାନିର୍ଦ୍ଦେଶକ (ଡିଜିଏମ୍ଓ) ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଭାରତୀୟ ଡିଜିଏମ୍ଓଙ୍କ ସହ ଅସ୍ତ୍ରବିରତି ନେଇ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ଆଜି ଅପରାହ୍ନ ୫ଟାରୁ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ସାମରିକ ଅଭିଯାନ ବନ୍ଦ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଏହି ବୁଝାମଣା ତତ୍କାଳ କାର୍ଯ୍ୟକାରୀ କରିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୨ ତାରିଖ ମଧ୍ୟାହ୍ନ ୧୨ଟାରେ ପୁଣି ଥରେ ସାମରିକ ଅପରେସନ୍ ମହାନିର୍ଦ୍ଦେଶକସ୍ତରରେ ଆଲୋଚନା ହେବ ବୋଲି କୁହାଯାଇଛି।
ଅସ୍ତ୍ରବିରତି ଘୋଷଣା ପରେ ମଧ୍ୟ ଜମ୍ମୁର ପଲନୱାଲା ସେକ୍ଟର୍, ପୁଞ୍ଚ ଓ ରାଜୌରୀ ସେକ୍ଟରରେ ଗୁଳିବିନିମୟ ଖବର ମିଳିଛି। ଏଥିରେ ବିରାମ ଲଗାଇବାକୁ ମଧ୍ୟ ପ୍ରୟାସ ଜାରି ରହିଛି। ଆଜି ଭାରତ-ପାକ୍ ଅସ୍ତ୍ରବିରତି ଘୋଷଣା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଆଲୋଚନା ପରେ ଭାରତ ଏବଂ ପାକିସ୍ତାନ ତୁରନ୍ତ ତଥା ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟରେ ଟ୍ରମ୍ପ୍ ଘୋଷଣା କରିଛନ୍ତି, ‘ଆମେରିକାର ମଧ୍ୟସ୍ଥତାରେ ରାତିସାରା ଆଲୋଚନା ପରେ ମୁଁ ଖୁସିରେ ଘୋଷଣା କରୁଛି ଯେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦାର୍ ଏବଂ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସହ ଆଲୋଚନା କରିଥିଲେ। ଉଭୟ ପକ୍ଷରୁ ଏ ନେଇ ସହମତି ପ୍ରକାଶ କରିବା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ରୁବିଓ ମଧ୍ୟ ଅସ୍ତ୍ରବିରତି ନେଇ ସମାନ ବୟାନ ରଖିଛନ୍ତି।
ଅସ୍ତ୍ରବିରତି ଉପରେ କ’ଣ କହିଲେ ଏସ୍ ଜୟଶଙ୍କର?
ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ପାକିସ୍ତାନର ଅସ୍ତ୍ରବିରତି ବିଷୟରେ ପୋଷ୍ଟ କରିଛନ୍ତି। ଭାରତ ଓ ପାକିସ୍ତାନ ଆଜି ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜି ହେବା ଉତ୍ତେଜନା ହ୍ରାସ ଦିଗରେ ବଡ଼ ପଦକ୍ଷେପ ବୋଲି କହିଛନ୍ତି। ଭାରତ ସବୁପ୍ରକାର ଆତଙ୍କବାଦ ବିରୋଧରେ ସର୍ବଦା ଦୃଢ଼ ଓ ନିରନ୍ତର ଆଭିମୁଖ୍ୟ ବଜାୟ ରଖିଛି। ଭବିଷ୍ୟତରେ ମଧ୍ୟ ଏହି ନୀତି କାଏମ ରହିଛି। ଭାରତ-ପାକ୍ ଅସ୍ତ୍ରବିରତି ଚୁକ୍ତି ସମ୍ପର୍କରେ ଜମ୍ମୁ-କାଶ୍ମୀରର ପୂର୍ବତନ ଡିଜିପି ଏସ୍ପି ବୈଦ କହିଛନ୍ତି, ଆତଙ୍କବାଦ ବନ୍ଦ କରିବା ପାଇଁ ଭାରତର କଡ଼ ସର୍ତ୍ତକୁ ପାକିସ୍ତାନ ଗ୍ରହଣ କରିଥିବା ମୁଁ ଅନୁମାନ କରୁଛି। ଭାରତ କହିଛି ଯେ କୌଣସି ଆତଙ୍କବାଦ କାର୍ଯ୍ୟ ‘ଯୁଦ୍ଧ କାର୍ଯ୍ୟ’ ହେବ। ଅସ୍ତ୍ରବିରତି ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଭାରତ କେବେ ବି କୌଣସି ଦେଶ ବିରୋଧରେ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ନାହିଁ ବୋଲି ବୈଦ କହିଛନ୍ତି। ଆମେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛୁ। ଆମେ ତୃତୀୟ, ଦ୍ବିତୀୟ, ପ୍ରଥମ ଅର୍ଥନୀତି ହେବା ଦୌଡ଼ରେ ଅଛୁ। ଯୁଦ୍ଧ, ଆତଙ୍କବାଦରେ ଆମେ ବିଶ୍ୱାସ କରୁନାହୁଁ ବୋଲି ସେ କହିଛନ୍ତି। ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହେବା ଆଞ୍ଚଳିକ ଶାନ୍ତି ପାଇଁ ବଡ଼ ପଦକ୍ଷେପ। ପାକିସ୍ତାନ ନିଜର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ସହ ବୁଝାମଣା ନ କରି ଏହି ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ପାଇଁ ସର୍ବାଦ ପ୍ରୟାସ କରିଆସୁଛି ବୋଲି ସେ କହିଛନ୍ତି।
ଭାରତ ଓ ପାକିସ୍ତାନ ମଧ୍ୟରେ ହଠାତ୍ ଅସ୍ତ୍ରବିରତି ପଛରେ ବଡ଼ କୂଟନୈତିକ କାରଣ ରହିଥିବା କୁହାଯାଉଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗତ କିଛି ଦିନ ଧରି ଆମେରିକୀୟ ପ୍ରତିପକ୍ଷଙ୍କ ସହ ନିରନ୍ତର ଆଲୋଚନାରେ ସାମିଲ ଥିଲେ। ସୀମାରେ ବଢୁଥିବା ଉତ୍ତେଜନାକୁ ଦୂର କରିବା ଏବଂ ଶାନ୍ତିପୂର୍ଣ୍ଣ ସମାଧାନରେ ପହଞ୍ଚିବା ଉଦ୍ଦେଶ୍ୟରେ ଏହି ଆଲୋଚନା ହୋଇଥିଲା।
ଟ୍ରମ୍ପଙ୍କ ଦାବି: ଆମେରିକାର
ମଧ୍ୟସ୍ଥତା ଯୋଗୁ ତୁରନ୍ତ ଅସ୍ତ୍ରବିରତି