ଗାଜା: ଇସ୍ରାଏଲ-ହମାସ ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ ଶେଷ ହେବା ସହ ଗାଜାକୁ ଆଜିଠାରୁ ସମସ୍ତ  ସହାୟତା ଓ ସାମଗ୍ରୀ ଯୋଗାଣ ବନ୍ଦ କରିଛି ଇସ୍ରାଏଲ।  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହି ନିଷ୍ପତ୍ତି ଘୋଷଣା କରିବା ସହ ଆତଙ୍କବାଦୀ ସଂଗଠନ ହମାସ ପାଇଁ ନୂଆ ଚେତାବନୀ ଜାରି କରିଛି।  ଅସ୍ତ୍ରବିରତି ଅବଧି ବୃଦ୍ଧି ପାଇଁ ଆମେରିକା ଯେଉଁ ସବୁ ପ୍ରସ୍ତାବ ଦେଇଛି ତାହାକୁ ଯଦି ହମାସ ଗ୍ରହଣ ନ କରେ ତେବେ ଗାଜାରେ ପୁଣି ଆକ୍ରମଣ ଆରମ୍ଭ କରାଯିବ ବୋଲି ନେତାନ୍ୟାହୁ ସତର୍କ କରାଇ ଦେଇଛନ୍ତି। ସହାୟତା ଯୋଗାଣ ବନ୍ଦ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିଲେ ମଧ୍ୟ କେତେକ ଜରୁରୀ ଯୋଗାଣକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି। 

Advertisment

ସୂଚନାଯୋଗ୍ୟ, ଇସ୍ରାଏଲ-ହମାସ ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ (ଯେଉଁଥିରେ ମାନବିକ ସହାୟତା ଯୋଗାଣ ମଧ୍ୟ ସାମିଲ ଥିଲା) ଆଜି ଶେଷ ହୋଇଛି। ଇସ୍ରାଏଲର ସେନା ପ୍ରତ୍ୟାହାର ଏବଂ ସ୍ଥାୟୀ ଅସ୍ତ୍ରବିରତି ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହମାସ ଚାହୁଥିବା ବେଳେ ଇସ୍ରାଏଲ ଓ ଆମେରିକା ଦ୍ବାରା ଦିଆଯାଇଥିବା  ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ହିଁ ଦ୍ବିତୀୟ ପର୍ଯ୍ୟାୟ ଅସ୍ତ୍ରବିରତି ଲାଗୁ ହେବ ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ବର୍ଷେରୁ ଅଧିକ ସମୟ ଧରି ମଧ୍ୟସ୍ଥତା କରୁଥିବା ଆମେରିକା, ଇଜିପ୍‌ଟ କିମ୍ବା କତାର ପକ୍ଷରୁ ଇସ୍ରାଏଲର ଚେତାବନୀ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ହମାସକୁ ଇରାନ ଅସ୍ତ୍ରଯୋଗାଣ କରୁଥିବାରୁ ଏହାକୁ ରୋକିବା ପାଇଁ ଇସ୍ରାଏଲ ସେନା କେତେକ କଠୋର ପଦକ୍ଷେପ ଗ୍ରହଣ କରିଛି। ଅନ୍ୟପକ୍ଷରେ ଗାଜାର ପୁନଃନିର୍ମାଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ହମାସ ପ୍ରତ୍ୟାଖ୍ୟାନ କରିସାରିଛି।