ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ଦାନସ୍ବରୂପ ନଗଦ ଅର୍ଥ ଦେବାର ଏକ ସୀମା ନିର୍ଦ୍ଧାରଣ କରିବାକୁ ମୁଖ୍ୟ ନିର୍ବାଚନ କମିସନର (ସିଇସି) ରାଜୀବ କୁମାର କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଇଲେକ୍ସନ ଫଣ୍ଡିଂକୁ କଳାଟଙ୍କାରୁ ମୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗ ବେନାମୀ ରାଜନୈତିକ ଦାନକୁ ୨୦,୦୦୦ରୁ ୨୦୦୦କୁ କମାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସୋମବାର ମିଳିଥିବା ସୂଚନା ଅନୁସାରେ ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ସିଇସି ସୁପାରିସ କରିଛନ୍ତି।
ଏହି ପ୍ରସ୍ତାବ ଅନୁସାରେ କେହି ୨୦୦୦ ଟଙ୍କାରୁ କମ୍ ନଗଦ ଦାନ ଦେଲେ ସେ ବିଷୟରେ ରିପୋର୍ଟ କରିବା ରାଜନୈତିକ ଦଳଗୁଡ଼ିକ ପାଇଁ ଆବଶ୍ୟକ ନୁହେଁ। ତା’ଠୁ ଅଧିକ ଦାନ ଗ୍ରହଣ କଲେ ଦଳଗୁଡ଼ିକ କମିସନଙ୍କୁ ଜଣାଇବାକୁ ପଡ଼ିବ। ବର୍ତ୍ତମାନର ନିୟମ ଅନୁସାରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦାନ କ୍ଷେତ୍ରରେ ରିପୋର୍ଟ କରିବାର ଆବଶ୍ୟକତା ନାହିଁ।