ନୂଆଦିଲ୍ଲୀ: ଦିଲ୍ଲୀ ସରକାରୀ ସ୍କୁଲ ଓ ଶିକ୍ଷା ମଡେଲକୁ ବିଶ୍ବସ୍ତରରେ ପ୍ରଶଂସା କରାଯାଉଥିବା ଦାବି କରୁଛି ସେଠାରେ ଶାସନରେ ଥିବା ଆମ ଆଦମୀ ପାର୍ଟି । ଏହା ସହ ଦିଲ୍ଲୀର ସରକାରୀ ସ୍କୁଲ ଭଳି ଅନ୍ୟ ରାଜ୍ୟରେ ସରକାରୀ ସ୍କୁଲ ହେବା ଜରୁରୀ ବୋଲି ଅନେକ ସମୟରେ କହିଥାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାତ୍ର ସେଠାକାର ଏକ ସରକାରୀ ସ୍କୁଲର ଦୂରବସ୍ଥା ଲାଗି କେଜ୍ରିୱାଲଙ୍କୁ ଏବେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଦିଲ୍ଲୀର କିଛି ସରକାରୀ ସ୍କୁଲର ଦୂରବସ୍ଥା କିଭଳି, ତାହା ସଂପ୍ରତି ନାଙ୍ଗଲୋଇରେ ଘଟିଥିବା ଘଟଣାରୁ  ସାମ୍ନାକୁ ଆସିଛି । ସ୍କୁଲରେ ପାଠ ପଢ଼ୁଥିବା ବେଳେ ଜଣେ ଛାତ୍ରୀଙ୍କ ମୁଣ୍ଡ ଉପରେ ପଙ୍ଖା ଖସିପଡ଼ିବାରୁ ଏବେ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି କେଜ୍ରିୱାଲ।

Advertisment

ଛାତ୍ରୀଜଣକ କହିଛନ୍ତି ଯେ, 'ବର୍ଷା କାରଣରୁ ଛାତରୁ ପାଣି ପଡ଼ୁଥିବା ସହ ଫାଟ ସୃଷ୍ଟି ହୋଇଥିଲା। ଅଗଷ୍ଟ ୨୭ରେ ଶ୍ରେଣୀଗୃହରେ ବସିଥିବା ବେଳେ ଛାତ ଫାଟିଯିବା ସହ ହଠାତ୍ ପଙ୍ଖ‌ାଟି ମୋ ମୁଣ୍ଡ ଉପରେ ପଡ଼ିଯାଇଥିଲା। ତେବେ ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ସରକାର ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ଏହି ଘଟଣାରେ ସାଂସଦ ତଥା ବିଜେପି ନେତା ମନୋଜ ତିୱାରୀ କେଜ୍ରିୱାଲ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ‘ପଙ୍ଖ‌ା ପଡ଼ିଯିବା କାରଣରୁ ଦିଲ୍ଲୀର ଜଣେ ଝିଅ ଆହତ ହୋଇ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। ଅରବିନ୍ଦ କେଜ୍ରିୱାଲ ଗ୍ୟାଙ୍ଗର କାର୍ଯ୍ୟକଳାପ ଖରାପ ହେବାରେ ଲାଗିଛି, ଦିନେ ହୁଏତ ଖବର ମଧ୍ୟ ଆସିପାରେ ଯେ ବିଦ୍ୟାଳୟର ଅଧା ଅଂଶ ଭୁଶୁଡି ପଡିଛି।’ ମନୋଜ ତିୱାରୀ ଦାବି କରିଛନ୍ତି ଯେ ଦିଲ୍ଲୀରେ ପ୍ରାୟ ୪୦୦ଟି ଏଭଳି ସ୍କୁଲ ଅଛି, ଯେଉଁଗୁଡ଼ିକ ଯେକୌଣସି ସମୟରେ ଭୁଶୁଡିପାରେ।

ଏ ପ୍ରସଙ୍ଗରେ ଦିଲ୍ଲୀର ଶାସକ ଦଳ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।