ଜନ ଔଷଧି ସପ୍ତାହ ପାଳନ: ଭୁବନେଶ୍ବର ହିତାଧିକାରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜନ ଔଷଧି ଦିବସ ଉପଲକ୍ଷେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜନ ଔଷଧି-ଜନ ଉପଯୋଗୀ’ ବିଷୟବସ୍ତୁ ଆଧାରିତ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଦେଶର କିଛି ଜନ ଔଷଧି କେନ୍ଦ୍ରର ମାଲିକ ଓ ହିତାଧିକାରୀଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ। ଏହି କ୍ରମରେ ସେ ଭୁବନେଶ୍ବରର ଦିବ୍ୟାଙ୍ଗ ହିତାଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କୁ ଜନ ଔଷଧି ଯୋଜନାର ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ।

ଜନ ଔଷଧି କେନ୍ଦ୍ରରୁ ସେ ଆବଶ୍ୟକ କରୁଥିବା ସମସ୍ତ ଔଷଧ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ବେହେରା କହିଥିଲେ। ଶ୍ରୀ ବେହେରା ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, ତାଙ୍କ ମାଆ ପ୍ରଭାତୀ ବେହେରା ଏବଂ ବାପା ସୁଧାକର ବେହେରା ତଥା ନିଜ ପାଇଁ ଜନ ଔଷଧି କେନ୍ଦ୍ରରୁ ଔଷଧ ଶସ୍ତାରେ କିଣିପାରୁଛନ୍ତି। ଯାହା ଫଳରେ ପ୍ରତି ମାସରେ ତାଙ୍କର ଦୁଇ ହଜାର ରୁ ଅଢ଼େଇ ହଜାର ଟଙ୍କା ସଂଚୟ ହୋଇପାରୁଛି। ପୂର୍ବରୁ ତାଙ୍କ ପରିବାରର ମାସିକ ଔଷଧ କିଣାରେ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରରୁ ଶସ୍ତାରେ ଔଷଧ କିଣିପାରୁଛନ୍ତି।

କେନ୍ଦ୍ରରେ ସବୁ ‌ଔଷଧ ମିଳୁଛି କି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ସେ ହଁ ବୋଲି କହିଥିଲେ। ଶସ୍ତାରେ ଔଷଧ ପାଇବା ଫଳରେ ଯେଉଁ ଟଙ୍କା ସଂଚୟ ହେଉଛି ତାହାର କେମିତି ଉପଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶ୍ରୀ ବେହେରା କହିଲେ, ଆଗରୁ ଔଷଧରେ ଅଧିକ ଖର୍ଚ୍ଚ ହେଉଥିବାରୁ ଧାରଉଧାର କରୁଥିଲେ, ଏବେ ତାଙ୍କୁ ଏହା କରିବାକୁ ପଡ଼ୁନାହିଁ। ଦିବ୍ୟାଙ୍ଗ ସତ୍ତ୍ବେ ଶ୍ରୀ ବେହେରା ତାଙ୍କ ସଂଘର୍ଷ ଜାରି ରଖିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଜଟିଳ ପରିସ୍ଥିତିରେ ମଧ୍ୟ ସେ ତାଙ୍କର ପିତାମାତ‌ାଙ୍କ ସେବା କରୁଛନ୍ତି। ହସିହସି କାର୍ଯ୍ୟ କରୁଛନ୍ତି, ହାର ମାନିନାହାନ୍ତି ବୋଲି ଶ୍ରୀ ବେହେରା କହିଥିଲେ। ଏହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ସାହସିକତାକୁ ପ୍ରଶଂସା କରିବା ସହ ଶ୍ରୀ ବେହେରାଙ୍କ ସହ କଥାହୋଇ ପ୍ରେରିତ ହୋଇଛନ୍ତି ବୋଲି କହିଥିଲେ। ଆଲୋଚନା ପରେ ପ୍ରଧାନମନ୍ତ୍ରୀ ତାଙ୍କ ପରିବାରରର ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଜନ ଔଷଧି ଯୋଜନାର ଲାଭ ଉଠାଇବା ପାଇଁ ଜନସଚେତନତା ଉଦ୍ଦେଶ୍ୟରେ ମାର୍ଚ ପହିଲାରୁ ଜନ ଔଷଧି ସପ୍ତାହ ପାଳନ କରାଯାଉଛି। ଦେଶରେ ଏବେ ୮ ହଜାର ୬ ଶହ ଜନ ଔଷଧି କେନ୍ଦ୍ର କାର୍ଯ୍ୟ କରୁଛି। ପ୍ରାୟତଃ ସବୁ ଜିଲ୍ଲାରେ ଜନ ଔଷଧି କେନ୍ଦ୍ରର ସୁବିଧା ଉପଲବ୍ଧ ଅଛି।

ସମ୍ବନ୍ଧିତ ଖବର