ପୁରୁଷ ହକି ଦଳର ବ୍ରୋଞ୍ଚ ବିଜୟ ପରେ ବୁର୍ଜ ଖଲିଫା ସାମ୍ନାରେ ଉତ୍ସବ ମନାଇଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳର ବ୍ରୋଞ୍ଚ ବିଜୟ ପରେ ଏବେ ସାରା ଦେଶ ଉତ୍ସବମୂଖର ହୋଇପଡିଛି | ଆଉ ଭାରତୀୟ ହକି ଦଳରେ ଏକ ପ୍ରମୁଖ ଯୋଗଦାନ ଥିବା ଓଡ଼ିଶାବାସୀ ମଧ୍ୟ ଆଜି ଗର୍ବିତ ଅନୁଭବ କରୁଛନ୍ତି | କାରଣ ୨୦୧୮ ମସିହାରେ ହକିର ପ୍ରାୟୋଜକ ଭାବେ ସାହାରା ଓହରିଯାଇଥିଲା ସେତେବେଳେ ଓଡ଼ିଶା ସରକାର ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଭାବେ ଦାୟିତ୍ୱ ନିଜେ ନେଇଥିଲେ |

୫ ବର୍ଷ ପାଇଁ ହକି ଇଣ୍ଡିଆକୁ ୧୦୦ କୋଟି ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ | ଏହାରି ଭିତରେ ଭାରତର ଜିତପଟକୁ ନେଇ କେବଳ ଭାରତବାସୀ ଗର୍ବିତ ଅନୁଭବ କରୁନାହାନ୍ତି ବରଂ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ପରସ୍ପରକୁ ମିଠା ଖୁଆଇ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ସାମ୍ନାରେ ଉତ୍ସବ ମନାଇଛନ୍ତି | ଗୁରୁବାର ସନ୍ଧ୍ୟାରେ ବୁର୍ଜ ଖଲିଫା ସାମ୍ନାରେ ହାତରେ ତ୍ରିରଙ୍ଗା ସହ ଚକ ଦେ ଇଣ୍ଡିଆ ନାରା ଦେଇ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

ଏହି ଅବସରରେ ପ୍ରବାସୀ ଓଡ଼ିଆମାନେ କହିଛନ୍ତି ଯେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଆଉ ଏହା ଏକ ଉତ୍ସବ ଭଳି ଅବସର ଯୋଗାଇଥିବାରୁ ଏହାକୁ ପାଳନ କରାଯାଉଛି | ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ, ଦେବ ମିଶ୍ର, ଇମଦାଦ ମହମ୍ମଦ, ଅବନିକାନ୍ତ ପାତ୍ର, ବିନୟ ରଞ୍ଜନ ସ୍ୱାଇଁ, ଦୁତିବାନ ପରିଡା, ପୁଷ୍କର କୁମାର, ପ୍ରମଞ୍ଜନ ଲକ୍ଷ୍ମୀ ପ୍ରମୁଖ ଯୋଗ ଦେଇଥିଲେ |

ସମ୍ବନ୍ଧିତ ଖବର