ମୁମ୍ବାଇ: ରାଜନୈତିକ ଦଳ ଶିବସେନାର ପ୍ରାୟ ଦୁଇ ତୃତୀୟାଂଶ ବିଧାୟକଙ୍କ ସମର୍ଥନ ହାସଲ ପରେ ବିଦ୍ରୋଦୀ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀକୁ ସୋମବାର ଦିନ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ସେମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଆସନ୍ତା ମାସ ୧୨ ତାରିଖ ଯାଏଁ ସେମାନଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଚାଲିଥିବା ପ୍ରକ୍ରିୟା ଉପରେ କୋର୍ଟ ରୋକ୍ ଲଗାଇବା ପରେ ଖୁସୀ ମନାଇବାକୁ ନିଷ୍ପତ୍ତି ନେଇଛନ୍ତି ବିଦ୍ରୋହୀ ବିଧ୍ୟାୟକ।
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସିନ୍ଦେଙ୍କ କ୍ୟାମ୍ପ୍ରେ ଏବେ ମନୋବଳ ଆହୁରି ଦୃଢ଼ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ବିଦ୍ରୋହୀ ବିଧାୟକମାନେ ହୋଟେଲ୍ ମଧ୍ୟରେ ବାଣ ଫୁଟାଇ ସେଲିବ୍ରେସନ୍(ଉତ୍ସବ ମନାଇବା) କରିବାର ନିଷ୍ପତ୍ତି ନେଇଛନ୍ତି।
ଉତ୍ସବ ମନାଇବାର ଅନ୍ୟ ଏକ କାରଣ ହେଉଛି ବିଧାୟକମାନେ ‘ଘର ଖାଇବା’ ଦାବି କରିବା ପରେ ସେମାନେ ଯେଉଁ ହୋଟେଲ୍ରେ ଅଛନ୍ତି ସେହି ହୋଟେଲ୍ ସେମାନଙ୍କ ପାଇଁ ସ୍ବତନ୍ତ୍ର ମହାରାଷ୍ଟ୍ରୀୟ ଖାଦ୍ୟ ବି ତିଆରି କରିବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଚାଲିଥିବା ପ୍ରକ୍ରିୟା ଉପରେ କୋର୍ଟ ରୋକ୍ ଲଗାଇଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉପବାଚସ୍ପତି ନରହରି ଜିରୱାଲ ଯେଉଁ ନୋଟିସ ଦେଇଥିଲେ ତାହାକୁ ଚାଲେଞ୍ଜ କରି ଏହି ଗୋଷ୍ଠୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ।