ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ଉତ୍ସବ ୨୦୨୪ ଜୁଲାଇ ୨୬ରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରି ସାରିଛି। ଖେଳାଳିମାନେ ବି ଅଲମ୍ପିକ୍ସରେ ଦମ ଦେଖାଇବା ପାଇଁ ନିଜନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Advertisment

ତେବେ ଅଲମ୍ପିକ୍ସର ଉଦଘାଟନୀ ଉତ୍ସବରେ ହଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସେଲିନ ଡି‌ୟୋନ ଗୀତ ଗାଇବେ ବୋଲି ନିଶ୍ଚିତ ହୋଇଛି। ସିନେମା ‘ଟାଇଟେନିକ’ରେ ଥିବା ଗୀତ ‘ମାଇ ହାର୍ଟ ଉଇଲ ‌ଗୋ ଅନ’କୁ ଗାଇଥିବା ସେଲିନ ୨୦୨୨ ଡିସେମ୍ବରରେ ଏକ ବିରଳ ରୋଗରେ ପୀଡ଼ତ ବୋଲି ସମସ୍ତଙ୍କୁ ଜଣାଇଥିଲେ। ଏହି ବିରଳ ରୋଗଟି ହେଉଛି ଷ୍ଟିଫ ପର୍ସନ ସିଣ୍ଡ୍ରୋମ।

ନିଜର ଏହି ରୋଗ ବିଷୟରେ ଜଣାଇବା ପ‌ରେ ସେଲିନଙ୍କୁ ଆଉ ଦେଖିବାକୁ ମିଳି ନଥିଲା। କିନ୍ତୁ ସେ ତାଙ୍କ ଫ୍ୟାନ୍ସମାନଙ୍କୁ କଥା ଦେଇଥିଲେ ନିଶ୍ଚୟ ସେ ଦିନେ ନା ଦିନେ ମଞ୍ଚକୁ ଫେରିବେ। ପ୍ୟାରିସରେ ଆରମ୍ଭ ହେବାକୁ ଥିବା ଅଲମ୍ପିକ୍ସ ଜରିଆରେ ସେ ଫେରୁଥିବା ସୂଚନା ମିଳିଛି।

ନିଜର ଦମଦାର ପ୍ରଦର୍ଶନ ପାଇଁ ସେଲିନ ପ୍ୟାରିସରେ ପହଞ୍ଚି ସାରିଛନ୍ତି। କଣ୍ଠଶିଳ୍ପୀ ସେଲିନଙ୍କୁ ଗୋଟିଏ ଗୀତ ପାଇଁ ୨ମିଲିୟନ ଡଲାର ଅର୍ଥାତ ୧୬କୋଟି ଟଙ୍କାର ପାରିଶ୍ରମିକ ଦିଆଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ସେଲିନ ନିଜ ସ୍ବାସ୍ଥ୍ୟର ସମ୍ପୂର୍ଣ୍ଣ ଭାବେ ଯତ୍ନ ନେବା ସହିତ ନିଜ ପ୍ରଦର୍ଶନକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମଞ୍ଚ ଉପରେ ଗୀତ ଗାଇବା ସମୟରେ ତାଙ୍କର ଡାକ୍ତରଙ୍କ ସହିତ କିଛି ସହଯୋଗୀ  ରହିବେ ।  ଯେଉଁମାନେ ସେଲିନଙ୍କ ଯଦି ମଞ୍ଚ ଉପରେ ପ୍ରଦର୍ଶନ ସମୟରେ କିଛି ଅସୁବିଧା ହୁଏ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ରହିଥିବେ।