ଶାହାରୁଖଙ୍କ ପୁଅଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ସମୀର ୱାଙ୍ଖଡେଙ୍କ ରଦ୍ଦ ‌ହେଲା ଲାଇସେନ୍ସ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କ ସମସ୍ୟା ହ୍ରାସ ପାଉନାହିଁ। ଗତବୁଧବାର ଦିନ ମହାରାଷ୍ଟ୍ରସ୍ଥିତ ସମୀର ୱାଙ୍ଖଡେଙ୍କ ଏକ ହୋଟେଲ ‘ସଦଗୁରୁ’ର ଲାଇସେନ୍ସ ବାତିଲ କରାଯାଇଛି। ଏହି ହୋଟେଲରେ ଏକ ବାର ମଧ୍ୟ ଥିବା ଜଣାପଡ଼ିଛି। ଏହି କାର୍ଯ୍ୟନୁଷ୍ଠାନ ଥାଣେର ଜିଲ୍ଲାପାଳ ନେଇଛନ୍ତି।

ଏହାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ ଗତ ବର୍ଷ ଏକ ଅଭିଯୋଗରେ କହିଥିଲେ ଯେ ୱାଙ୍ଖଡେଙ୍କ ପାଖରେ ଏକ ପରମିଟ ରୁମ ଓ ରେସ୍ତୋରାଁ ଅଛି। ଯେଉଁଥିପାଇଁ ସମୀର ୧୯୯୭ରେ ଲାଇସେନ୍ସ ପ୍ରାପ୍ତ କରିଥିଲେ। ସେତେବେଳେ ସେ ନାବାଳକ ଥିଲେ। ଅର୍ଥାତ ତାଙ୍କ ବୟସ  ୨୧ ବର୍ଷରୁ କମ୍‌ ଥିଲା।

ତାଙ୍କ ବୟସ ସେତେବେଳେ ୧୭ ବର୍ଷ ୧୦ ମାସ ଥିବା କୁହାଯାଉଛି। ସମୀର ନିଜ ଜନ୍ମପ୍ରମାଣ ପତ୍ରରେ ହେର୍‌ଫେର୍‌ କରିଥିବା ଅଭିଯୋଗ ହୋଇଥିଲା। ଏହି କାରଣ ଯୋଗୁଁ ସଦ୍‌ଗୁରୁ ହୋଟେଲ ଆଣ୍ଡ ବାର୍‌ର ଲାଇସେନ୍ସକୁ ରଦ୍ଦ କରାଯାଇଛି।

ଏହାପୂର୍ବରୁ ଡିଏମ ସମୀର ୱାଙ୍ଖଡେଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।  ଏଥିସହିତ ନବାବ ମଲିକ ୱାଙ୍ଖଡେଙ୍କ ବିରୋଧରେ ସରକାରୀ ଚାକିରୀ ପାଇବା ପାଇଁ ନକଲି ଜାତି ପ୍ରମାଣପତ୍ର ଦାଖଲ କରିଥିବା ନେଇ ବି ଗମ୍ଭୀର ଅଭିଯୋଗ କରିଥିଲେ।

ଏଥିସହିତ ନୱାବ ମଲିକ  ସମୀର ୱାଙ୍ଖଡେଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ଏହାପରେ ସମୀରଙ୍କୁ ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ କେସ୍‌ ମାମଲାରୁ ହଟାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର