ନୂଆଦିଲ୍ଲୀ: ଭାରତର ଆଗାମୀ ଜାତୀୟ ଜନଗଣନା ୨୦୨୭ରେ ଅନୁଷ୍ଠିତ ହେବ। କୋଭିଡ୍‌-୧୯ ମହାମାରୀ ଏବଂ ଅନ୍ୟାନ୍ୟ କାରଣରୁ ଏହା ବିଳମ୍ବ ହୋଇଛି। ଏହି ବିଶାଳ ପ୍ରଶାସନିକ କାର୍ଯ୍ୟକୁ ସୁଗମ କରିବା ପାଇଁ ସରକାର ଏକ ମକ୍‌ ଡ୍ରିଲ୍‌ ଘୋଷଣା କରିଛନ୍ତି। ଏହା ଅକ୍ଟୋବର ୧, ୨୦୨୫ରୁ ଆରମ୍ଭ ହୋଇ ୬୦ ଦିନ ପର୍ଯ୍ୟନ୍ତ ଚାଲିବ। ଛାୟା ପ୍ରସ୍ତୁତି ପରିଚାଳନାରେ ସ୍ମାର୍ଟ ଟେକ୍ନୋଲୋଜି ବ୍ୟବହାର କରାଯାଇ ଦେଶର ଜନଗଣନା ଉପରେ ଡିଜିଟାଲ୍‌ ମାନଚିତ୍ର ପ୍ରସ୍ତୁତ କରାଯିବ।

Advertisment

ମକ୍‌ ଡ୍ରିଲ୍‌ର ମୁଖ୍ୟ ଲକ୍ଷ୍ୟ ହେଉଛି ଜନଗଣନା ପ୍ରକ୍ରିୟାର ସମସ୍ତ ଦିଗକୁ ଯାଞ୍ଚ କରାଯିବା। ଏହି ପ୍ରକ୍ରିୟାରେ ଗଣନାକାରୀଙ୍କ ତାଲିମ, ତଥ୍ୟ ସଂଗ୍ରହ ପ୍ରଣାଳୀ ଏବଂ ପ୍ରକୃତ-ସମୟ ମନିଟରିଂ ଉପରେ ଗୁରୁତ୍ବ ଦିଆଯିବ। ଏହା ଦୁଇ ପର୍ଯ୍ୟାୟରେ ହେବାକୁ ଥିବା ଜନଗଣନାର ନିର୍ଭରଯୋଗ୍ୟତା ନିଶ୍ଚିତ କରିବ। ରେଜିଷ୍ଟ୍ରାର୍‌ ଜେନେରାଲ ତଥା ଜନଗଣନା କମିସନର ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି, ଏହି ଡ୍ରିଲ୍‌ ସମସ୍ତ ତଥ୍ୟର ଯାଞ୍ଚ ସହ ଏ ବାବଦ ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରିବାର ମାଧ୍ୟମ ହେବ। ମକ୍‌ ଡ୍ରିଲ ସ୍ମାର୍ଟ ଟେକ୍ନୋଲୋଜି ଉପରେ ନିର୍ଭର କରିବ, ଯାହା ଜନଗଣନାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବ। ଗଣନାକାରୀମାନେ ପୂର୍ବରୁ ଲୋଡ୍‌ ହୋଇଥିବା ସଫ୍ଟୱେର ଏବଂ କୋଡ୍‌ ଡାଇରେକ୍ଟୋରି ବ୍ୟବହାର କରି ତଥ୍ୟ ସଂଗ୍ରହ କରିବେ। ପରିବାର ଏବଂ ବିଦେଶୀ ନାଗରିକମାନେ ଅନ୍‌ଲାଇନ ପୋର୍ଟାଲ କିମ୍ବା ଆପ୍‌ ମାଧ୍ୟମରେ ନିଜେ ତଥ୍ୟ ପୂରଣ କରିବା ପାଇଁ ଏକ ଆଇଡି ପାଇବେ। ଏହି ଜନଗଣନା ସମ୍ପୂର୍ଣ୍ଣ କାଗଜମୁକ୍ତ ହେବ, ଯାହା ଭାରତକୁ ଏହି କ୍ଷେତ୍ରରେ ଅଗ୍ରଣୀ କରିବ। ଏହା ଗୃହସ୍ଥଳୀ ଅବସ୍ଥା, ସମ୍ପତ୍ତି, ପରିବାର ଆୟ ଏବଂ ସୁବିଧା ଆଦି ସମେତ ୩୪ଟି ପ୍ରଶ୍ନ ଉପରେ ତଥ୍ୟ ସଂଗ୍ରହ କରିବ। 

ମକ୍‌ ଡ୍ରିଲ୍‌ ପରେ ପ୍ରକୃତ ଜନଗଣନା ଦୁଇ ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧, ୨୦୨୬ରୁ ଆରମ୍ଭ ହେବ। ଯେଉଁଥିରେ ଗୃହ ତଥ୍ୟ, ଗଣନାକାରୀ ନିଯୁକ୍ତି ଏବଂ କାର୍ଯ୍ୟ ବଣ୍ଟନ ହେବ। ଜାମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ  ପାଇଁ ଅକ୍ଟୋବର ୧, ୨୦୨୬ରୁ ଏହି କାର୍ଯ୍ୟ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟ ଫେବ୍ରୁଆରି ୧, ୨୦୨୭ରୁ ଆରମ୍ଭ ହେବ। ଏହି ପ୍ରକ୍ରିୟାରେ ଜାତି ଗଣନା ସହ ଜନସଂଖ୍ୟା ତଥ୍ୟ ସଂଗ୍ରହ ହେବ। ଜନଗଣନା ଆଇନ, ୧୯୪୮ ଏବଂ ଜନଗଣନା ନିୟମ, ୧୯୯୦ ଅନୁଯାୟୀ ଏହା ପରିଚାଳିତ ହେବ। ପୂର୍ବ ଯୋଜନା ଅନୁଯାୟୀ ଏଥିପାଇଁ ପ୍ରାୟ ୩୯୪୧ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି।