ନୂଆଦିଲ୍ଲୀ: ୧ ମାର୍ଚ୍ଚ ୨୦୨୭ରୁ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ସାତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଜାତିଗତ ଗଣନା କରାଯିବ ବୋଲି ସରକାର ବୁଧବାର ଘୋଷଣା କରିଛନ୍ତି। ଜନଗଣନା ଆଇନ-୧୯୪୮ ଏବଂ ଜନଗଣନା ନିୟମ-୧୯୯୦ ଅଧୀନରେ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ। ଗତ ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଜନଗଣନା ପ୍ରକ୍ରିୟାରେ ଜାତିଗତ ତଥ୍ୟ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ନିଆଯାଇଥିବା ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଜାତିଗତ ଜନଗଣନାରେ ସ୍ୱଚ୍ଛତା ଏବଂ ନିରନ୍ତରତା ସୁନିଶ୍ଚିତ କରିବା ଏବଂ ବିଭିନ୍ନ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ଏ ବାବଦ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିଛି ରାଜ୍ୟ ପୂର୍ବରୁ ସ୍ୱଚ୍ଛ ପ୍ରକ୍ରିୟାରେ ଜାତିଗତ ସର୍ଭେ କରିଛନ୍ତି, କିନ୍ତୁ ଅନ୍ୟ କେତେକ ରାଜ୍ୟରେ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ। ଏହି ଅସଙ୍ଗତି ସନ୍ଦେହ ସୃଷ୍ଟି କରିଛି ଏବଂ ସାମାଜିକ ସଦ୍‌‌ଭାବନାକୁ ଖରାପ କରିବା ଆଶଙ୍କା ଥିବାରୁ ଏ ଦିଗରେ ସଂପୂର୍ଣ୍ଣ ସ୍ବଚ୍ଛ ପ୍ରକ୍ରିୟାରେ ଜାତିଗତ ଜନଗଣନା କରାଯିବାକୁ ବୈଷ୍ଣବ ଗୁରୁତ୍ବାରୋପ କରିଥିଲେ। 

Advertisment

୨୦୧୧ ପରେ ଭାରତ ଏବେ ପ୍ରଥମ ଜନଗଣନା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜାତିଗତ ଜନଗଣନା ଘୋଷଣା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଶେଷ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା- ଏପ୍ରିଲରୁ ସେପ୍ଟେମ୍ବର ୨୦୧୦ ପର୍ଯ୍ୟନ୍ତ ଗୃହ ତାଲିକାକରଣ ଓ ଗୃହ ଜନଗଣନା ଏବଂ ଫେବୃଆରି ୨୦୧୧ରୁ ଜନସଂଖ୍ୟା ଗଣନା ହୋଇଥିଲା। ୨୦୨୧ ଜନଗଣନା ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାରେ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ କୋଭିଡ୍‌ ମହାମାରୀ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। 
ଆଗାମୀ ଜନଗଣନାରେ ଜାତିଗତ ତଥ୍ୟକୁ ଅନ୍ତର୍ଭୁକ୍ତ କରିବା ଏକ ଐତିହାସିକ ପଦକ୍ଷେପ ‌ହେବ। ବିଶେଷକରି ଭାରତରେ ଶେଷ ବ୍ୟାପକ ଜାତିଭିତ୍ତିକ ଗଣନା ୧୮୮୧ରୁ ୧୯୩୧ ମଧ୍ୟରେ ବ୍ରିଟିସମାନେ କରିଥିଲେ। ୟୁପିଏ ସରକାରଙ୍କ ଅଧୀନରେ ୨୦୧୧ରେ ହୋଇଥିବା ସାମାଜିକ-ଅର୍ଥନୈତିକ ଓ ଜାତିଗତ ଜନଗଣନା (ଏସ୍‌ଇସିସି)ରେ ଜାତିଗତ ତଥ୍ୟ ସଂଗ୍ରହ କରାଯାଇଥିଲା, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କିମ୍ବା ବ୍ୟବହାର କରାଯାଇ ନଥିଲା। ଆଗାମୀ ଜନଗଣନାରେ ସ୍ବତନ୍ତ୍ର ଭାବେ ଜାତିଗତ ସ୍ତମ୍ଭ ମଧ୍ୟ ରହିବ। ପ୍ରତ୍ୟେକ ଘରେ ପହଞ୍ଚିବା ପରେ ଜନଗଣନା କର୍ମୀମାନେ ସମସ୍ତଙ୍କ ଜାତି ପଚାରିବେ। ତୁଷାରପାତ ହେଉଥିବା ଲଦାଖ, ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବରରୁ ଜନଗଣନା ଆରମ୍ଭ ହେବ। ବାକି ରାଜ୍ୟଗୁଡ଼ିକରେ ଏହା ୨୦୨୭ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ।