ନୂଆଦିଲ୍ଲୀ: ୨୦୨୭ ଜନଗଣନା ପାଇଁ ସରକାର ବିଧିବଦ୍ଧ ଭାବେ ଆଜିଠାରୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗେଜେଟ୍‌ ବିଜ୍ଞପ୍ତି ଜାରି ହୋଇଛି। ଦୁଇଟି ପର୍ଯ୍ୟାୟରେ ଦେଶରେ ଜନଗଣନା ହେବ। ପ୍ରଥମ ପର୍ଯ୍ୟାୟରେ ହାଉସଲିଷ୍ଟିଂ ଅପରେସନ୍ (ଏଚ୍ଏଲ୍ଓ) ନାମରେ ସମ୍ପତ୍ତି, ପାରିବାରିକ ଆୟ, ବାସଗୃହ ସ୍ଥିତି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଆଗାମୀ ଜନଗଣନା ଭାରତର ପ୍ରଥମ ଡିଜିଟାଲ୍‌ ଜନଗଣନା ହୋଇଥିବାରୁ ପ୍ରଥମ ଥର ପାଇଁ ଉତ୍ତରଦାତାମାନେ ଘରେ ବସି ପ୍ରଶ୍ନର ଉତ୍ତର ଦେଇପାରିବେ। ଦ୍ବିତୀୟ ପର୍ଯ୍ୟାୟରେ ଜନ ଗଣନା ବା ପପୁଲେସନ୍‌ ଏନୁମରେସନ (ପିଇ) ଦ୍ବାରା ପରିବାରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ଜନସଂଖ୍ୟାଗତ, ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ସଂଗ୍ରହ କରାଯିବ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜାତିଗତ ଗଣନା ମଧ୍ୟ ଏହି ଜନଗଣନା ପ୍ରକ୍ରିୟାର ଅଂଶ ହେବ।

Advertisment

ପ୍ରଥମ ପର୍ଯ୍ୟାୟରେ ସମ୍ପତ୍ତି, ଆୟ, ଗୃହ ସମ୍ପର୍କିତ ତଥ୍ୟ ସଂଗ୍ରହ
ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା, ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ବିବରଣୀ ଓ ଜାତି

ଏପ୍ରିଲ୍‌ ମାସରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ ଯେ ଆଗାମୀ ଜନଗଣନାରେ ଜାତିଗତ ଗଣନାକୁ ଅନ୍ତର୍ଭୁକ୍ତ କରାଯିବ। ୨୦୨୭ ଜନଗଣନା ମହିଳା ସଂରକ୍ଷଣ ବିଲ୍ ଓ ବିଭିନ୍ନ ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ୧୯୭୧ ମସିହାରୁ ଅଟକି ରହିଥିବା ବିବାଦୀୟ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ବାଟ ଫିଟାଇବ। ୨୦୨୬ ଅକ୍ଟୋବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଏବଂ ୨୦୨୭ ମାର୍ଚ୍ଚ ୧ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଶେଷ ହେବ। ଉପରୋକ୍ତ ତାରିଖ ଦୁଇଟିକୁ ରେ‌ଫରେନ୍ସ ଭାବେ ଗ୍ରହଣ କରାଯାଇଛି। ଅର୍ଥାତ୍‌ ସେହି ସମୟ ସୁଦ୍ଧା ଦେଶର ଜନସଂଖ୍ୟା ଓ ସାମାଜିକ ସ୍ଥିତି ସଂକ୍ରାନ୍ତ ସଂଖ୍ୟା ଯାହା ଆସିବ ତାହାକୁ ରେକର୍ଡରେ ସାମିଲ କରାଯାଇ ସାର୍ବଜନୀନ କରାଯିବ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁ କାଶ୍ମୀର ରାଜ୍ୟର ବରଫାବୃତ ଅଞ୍ଚଳକୁ ବାଦ୍‌ଦେଲେ ଦେଶର ଅନ୍ୟ ଅଞ୍ଚଳ ପାଇଁ ରେଫରେନ୍ସ ତାରିଖ ୨୦୨୭ ମାର୍ଚ୍ଚ ୧ ରଖାଯାଇଛି। କିନ୍ତୁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ସମେତ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ କାଶ୍ମୀରର ବରଫାବୃତ ଅଞ୍ଚଳ ପାଇଁ ରେଫରେନ୍ସ ତାରିଖ ୨୦୨୬ ଅକ୍ଟୋବର ୧  ରଖାଯାଇଛି। ଦେଶରେ ୨୦୨୭ ମାର୍ଚ୍ଚ ୧ ସୁଦ୍ଧା ଜନଗଣନାର ସମସ୍ତ ପ୍ରକ୍ରିୟା ଶେଷ ହେବ। ପୂରା କାର୍ଯ୍ୟ ଶେଷ ପାଇଁ ପ୍ରାୟ ୨୧ ମାସ ସମୟ ଲାଗିବ। 

ଦେଶବ୍ୟାପୀ ତଥ୍ୟ ସଂଗ୍ରହ ଏବଂ ପ୍ରକାଶ ପାଇଁ ସରକାରଙ୍କୁ ପ୍ରାୟ ୧୩ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ପ୍ରାୟ ୩୪ ଲକ୍ଷ ଗଣନାକାରୀ ଓ ସୁପରଭାଇଜର୍‌ଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯିବ। ପ୍ରାୟ ୧.୩ ଲକ୍ଷ ଗଣନା କର୍ମକର୍ତ୍ତାଙ୍କ ପାଖରେ ଡିଜିଟାଲ୍‌ ଡିଭାଇସ ରହିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଜନଗଣନା ପ୍ରସ୍ତୁତିର ସମୀକ୍ଷା ବିଭାଗୀୟ ସଚିବ ଗୋବିନ୍ଦ ମୋହନ, ଜନଗଣନା କମିସନର ମୃତ୍ୟୁଞ୍ଜୟ କୁମାର ନାରାୟଣ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ କରିଛନ୍ତି। ଦେଶରେ ଏହା ହେଉଛି ଷୋଡ଼ଶ ଏବଂ ସ୍ବାଧୀନତା ପରେ ଅଷ୍ଟମ ଜନଗଣନା। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଜାତିଗଣନା କରାଯିବ। ଉଲ୍ଲେଖଯୋଗ୍ୟ, ଶେଷଥର ପାଇଁ ଦେଶରେ ୧୯୩୧ରେ ଜାତିଗତ ଜନଗଣନା ହୋଇଥିଲା। ୨୦୧୧ ଜନଗଣନା ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ୨୦୧୦ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କରାଯାଇଥିଲା। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଲୋକସଂଖ୍ୟା ଗଣନା କାର୍ଯ୍ୟ ୨୦୧୧ ଫେବ୍ରୁଆରି ୯ରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ହୋଇଥିଲା। ୨୦୨୧ ଜନଗଣନା କାର୍ଯ୍ୟ ଦେଶର କେତୋଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୨୦ ଏପ୍ରିଲ ପହିଲାରୁ ଆରମ୍ଭ ପାଇଁ ଯୋଜନା ରହିଥିଲେ ମଧ୍ୟ କରୋନା ମହାମାରୀ ଯୋଗୁ ତାହାକୁ ସ୍ଥଗିତ ରଖାଯାଇଥିଲା।