କେନ୍ଦ୍ର ହାତରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ଆଇନ ଶୃଙ୍ଖଳା କ୍ଷମତା

ଅକ୍ଟୋବର ୩୧ରୁ କାର୍ଯ୍ୟକ୍ଷମ ହେବ ୨ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ: କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏକୁ ସରକାର ଉଚ୍ଛେଦ କରିବା ସହିତ ଏହି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦେଇଛନ୍ତି। ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିବା ଆଇନକୁ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଇତିମଧ୍ୟରେ ତାଙ୍କର ମୋହର ମଧ୍ୟ ମାରି ସାରିଛନ୍ତି। ଏହି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଆସନ୍ତା ଅକ୍ଟୋବର ୩୧ରୁ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖର ଶାସନ ଢାଞ୍ଚା କ’ଣ ହେବ ଏବଂ କାହା ପାଖରେ କେଉଁ କ୍ଷମତା ରହିବ ତାହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଲାଗି ରହିଛି।

ତେବେ ସରକାରୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ କଶ୍ମୀରର ଆଇନ ଶୃଙ୍ଖଳା ଏବଂ ପୁଲିସ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମାଧ୍ୟମରେ ଏସବୁର ପରିଚାଳନା ହେବ। ତେବେ ଜମିଜମା ବିଷୟ ସେଠାକାର ନିର୍ବାଚିତ ସରକାରଙ୍କ ଅଧୀନରେ ରହିବ। ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଜଣେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିବେ। ସେଠାରେ ବିଧାନସଭାର ସର୍ବାଧିକ ଆସନ ସଂଖ୍ୟା ୧୦୭ ରହିବ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ସଂଖ୍ୟା ୧୧୪କୁ ବୃଦ୍ଧି ପାଇବ। କିନ୍ତୁ ଏଥିରୁ ୨୪ ଟି ଆସନ ପାକ୍ ଅଧୀକୃତ କଶ୍ମୀର ଅଧୀନରେ ରହୁଥିବାରୁ ତାହା ପୂର୍ବପରି ଖାଲି ରହିବ।

ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅନୁଯାୟୀ, ସମ୍ବିଧାନର ରାଜ୍ୟ ତାଲିକାରେ ଥିବା ପ୍ରଥମ ଓ ଦ୍ବିତୀୟ ଯଥା ଆଇନ ଶୃଙ୍ଖଳା ଏବଂ ପୁଲିସ ବ୍ୟତୀତ ଅନ୍ୟ ସବୁ ପ୍ରସଙ୍ଗରେ ଜମ୍ମୁ କଶ୍ମୀରର ବିଧାନସଭା ଆଇନ ପ୍ରଣୟନ କରିପାରିବ। ଦିଲ୍ଲୀ ଏବଂ ପୁଡ଼ୁଚେରି ଭଳି ଜମ୍ମୁ କଶ୍ମୀରକୁ ଏହି ସୁବିଧା ମିଳିବ। ତେବେ ଦିଲ୍ଲୀରେ ଜମି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। କେନ୍ଦ୍ର ସରକାରଙ୍କ ସଂସ୍ଥା ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷ (ଡିଡିଏ) ମାଧ୍ୟମରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜମି ଅଧିକାର ସମ୍ପର୍କିତ କ୍ଷମତାକୁ କାର୍ଯ୍ୟକାରୀ କରୁଥାନ୍ତି। କିନ୍ତୁ ଜମ୍ମୁ କଶ୍ମୀରରେ ସେଠାକାର ନିର୍ବାଚିତ ସରକାରଙ୍କ ହାତରେ ଜମିଜମା ଅଧିକାର ରହିବ। ଜମି ରାଜସ୍ବ, ଜମିଜମା ରେକର୍ଡର ରକ୍ଷଣାବେକ୍ଷଣ ଆଦି କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚିତ ସରକାରଙ୍କ ହାତରେ ରହିବ।

ଅନ୍ୟପକ୍ଷରେ ଲଦାଖରେ ପୁଲିସ, ଆଇନ ଶୃଙ୍ଖଳା ଏବଂ ଜମିଜମା ଅଧିକାର ‌କେନ୍ଦ୍ର ଅର୍ଥାତ୍ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ହାତରେ ରହିବ। ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ ହେବେ। ଏହି ଦିନଠାରୁ ଜମ୍ମୁ କଶ୍ମୀରର ହାଇକୋର୍ଟ ଉଭୟ ଜମ୍ମୁ-କଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କାର୍ଯ୍ୟ କରିବ। ଜମ୍ମୁ କଶ୍ମୀର ହୋଇକୋର୍ଟରେ କାର୍ଯ୍ୟରତ ବିଚାରପତିମାନେ ଦୁଇଟି ଯାକ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କାର୍ଯ୍ୟ କରିବାକୁ ଥିବା ମିଳିତ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବେ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୁଲିସ ସେବା (ଆଇପିଏସ) ଏବଂ ଆଣ୍ଟି କରପ୍‌ସନ ବ୍ୟୁରୋ (ଏସିବି) ଅଧିକାରୀମାନେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧୀନରେ ରହିବେ।

ସମ୍ବନ୍ଧିତ ଖବର