ସୁପ୍ରିମ୍‌କୋର୍ଟ ରାୟକୁ ମାନୁନି କେନ୍ଦ୍ର: କେଜ୍ରିଓ୍ଵାଲ୍‌

ଦିଲ୍ଲୀ କ୍ଷମତା ବିବାଦ

ନୂଆଦିଲ୍ଲୀ: ଦିଲ୍ଲୀ କ୍ଷମତା ବିବାଦକୁ ଆଉ ଆଗକୁ ନ ବଢ଼ାଇ ରାଜ୍ୟର ସର୍ବାଙ୍ଗୀନ ଉନ୍ନତିି ପାଇଁ କାର୍ଯ୍ୟ କରିବେ ବୋଲି ଉପରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସହମତି ପ୍ରକାଶ କରିବା ସତ୍ତ୍ୱେ ଦିଲ୍ଲୀ କ୍ଷମତା ବିବାଦର ସମ୍ପୂର୍ଣ୍ଣ ଫଇସଲା ହୋଇପାରି ନାହିଁ। କାରଣ ଏବେ ବି ସେବା ବିଭାଗକୁ ନେଇ ଉଭୟଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ଲାଗିରହିଛି। ସେବା ବିଭାଗ ଛାଡ଼ିବାକୁ କେହି ରାଜି ନ ଥିବା ସୂଚନା ମିଳିଛି।

ଆଜିର ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ନିଜ ନୈରାଶ୍ୟକୁ ଜାହିର କରି କେଜ୍ରିଓ୍ଵାଲ୍‌ କହିଛନ୍ତି, ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ କେନ୍ଦ୍ର କୌଣସିମତେ ମାନୁନାହିଁ। ଯଦିଓ ଫାଇଲ୍‌କୁ ନେଇ ଉପରାଜ୍ୟପାଳ ସବୁଜ ସଂକେତ ଦେଇଛନ୍ତି ଏବଂ ଆଗକୁ ଫାଇଲ୍‌ ବଦଳରେ କେବଳ ନିଷ୍ପତ୍ତି ପଠାଇବାକୁ କହିଛନ୍ତି, ତଥାପି ସେବା ବିଭାଗକୁ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି। ଦିଲ୍ଲୀ ସରକାରଙ୍କୁ ଏହି ବିଭାଗର ଦାୟିତ୍ୱ ଦିଆଯାଉ ବୋଲି ବୈଜଲ ଆଦୌ ଚାହୁଁନାହାନ୍ତି। ଏଭଳି ସ୍ଥଳେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସେମାନେ ଖୋଲା ଉଲ୍ଲଂଘନ କରୁଛନ୍ତି ବୋଲି କେଜ୍ରିଓ୍ଵାଲ୍‌ ଅଭିଯୋଗ କରିିଛନ୍ତି। ଅପରପକ୍ଷରେ କେଜ୍ରିଓ୍ଵାଲ୍‌ଙ୍କ ଅଭିଯୋଗକୁ ଗୃହମନ୍ତ୍ରୀ ରାଜନାଥ ସିଂହ ଖଣ୍ଡନ କରିଛନ୍ତି। କେଜ୍ରିଓ୍ଵାଲ୍‌ ଏଭଳି କହି ଅଯଥା ବିଭ୍ରାନ୍ତି ସୃଷ୍ଟି କରୁଥିବା ସେ ଦର୍ଶାଇଛନ୍ତି। ସୁପ୍ରିମ୍‌ କୋର୍ଟ ରାୟ ସତ୍ତ୍ୱେ ବିବାଦ ତୁଟୁନଥିବାରୁ ଦିଲ୍ଲୀରେ ପୁଣି ଜଟିଳ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର