ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରୁଛନ୍ତି। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି, 'ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ସରକାର ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୨ସହଯୋଗୀ ଦଳକୁ ଖୁସି କରାଇଛନ୍ତି ମୋଦୀ ସରକାର। ଆନ୍ଧ୍ରପ୍ରଦେଶର ଟିଡିପି ଓ ବିହାରର ଜେଡିୟୁ କେନ୍ଦ୍ରରେ ମୋଦୀଙ୍କୁ ସରକାର ଗଠନ କରିବାରେ ସାହାଯ୍ୟ କରିଥିବାରୁ ଏହି ୨ଟି ରାଜ୍ୟର ସରକାରଙ୍କୁ ଖୁସି କରାଇଛନ୍ତି ଅର୍ଥମନ୍ତ୍ରୀ।

Advertisment

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମେ ବିହାରର ଗୟାରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବୁ। ଏହା ଦ୍ବାରା ପୂର୍ବ ଅଞ୍ଚଳର ବିକାଶ ବଢ଼ିବ। ସଡକ ସଂଯୋଗୀକରଣ ପ୍ରକଳ୍ପର ବିକାଶରେ ମଧ୍ୟ ଆମେ ସହଯୋଗ କରିବୁ। ୨୬,୦୦୦ କୋଟି ଟଙ୍କା ବ୍ୟୟରେ ପାଟନା-ପୂର୍ଣ୍ଣିଆ ଏକ୍ସପ୍ରେସୱେ, ବକ୍ସର-ଭାଗଲପୁର ରାଜପଥ, ବୋଧଗୟା-ରାଜଗୀର-ବୈଶାଲୀ-ଦରଭଙ୍ଗା ଏବଂ ବକ୍ସର ଗଙ୍ଗା ନଦୀ ଉପରେ ଅତିରିକ୍ତ ଦୁଇ ଲେନ ବିଶିଷ୍ଟ ସେତୁ ନିର୍ମାଣ କରାଯିବ।

ଏହା ଛଡ଼ା ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀର ବିକାଶ ପାଇଁ ପ୍ରାୟ ୧୫,୦୦୦କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ। ଏହି ଘୋଷଣା ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଚାହିଦା ପୂରଣ କରିଛି। ପୂର୍ବ ବଜେଟ୍ ବୈଠକରେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ଭାବରେ ଅମରାବତୀର ନିର୍ମାଣ ତଥା ବିକାଶ ପାଇଁ ୧୫,୦୦୦ କୋଟି ଟଙ୍କାର ଅନୁଦାନ ମାଗିଥିଲେ ରାଜ୍ୟ ସରକାର।