ନୂଆଦିଲ୍ଲୀ : କିଛି ଲୋକଙ୍କର ଲକ୍ଷଣ ଥାଇ ମଧ୍ୟ ସେମାନଙ୍କ ରାପିଡ୍ ଆଣ୍ଟିଜେନ ଟେଷ୍ଟ (ଆରଏଟି) ନେଗେଟିଭ ଆସୁଛି। ଏଭଳି ସ୍ଥିତିକୁ ଆଖି ଆଗରେ ରଖି ଏବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଆରଟି-ପିସିଆର ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଛି ରାଜ୍ୟରେ ଲକ୍ଷଣ ଥିବା ରୋଗୀଙ୍କ ଆରଏଟି ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କର ଆରଟି-ପିସିଆର ପରୀକ୍ଷା କରାଯାଉ ନାହିଁ, ଯାହାଦ୍ବାରା ଅନେକ ଲୋକଙ୍କର ସଠିକ୍ ସମୟରେ ଚିକିତ୍ସା ହୋଇପାରୁନାହିଁ ଏବଂ ସଂକ୍ରମଣ ମଧ୍ୟ ବଢ଼ୁଛି। ଏଥିସହିତ, ଚିକିତ୍ସା ଅଭାବରୁ କିଛି ଲୋକଙ୍କର ମୃତ୍ୟୁ ଘଟୁଛି।
ଏହାକୁ ଆଖି ଆଗରେ ରଖି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମିଳିତ ଭାବରେ ଏକ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ କେଉଁ ଦୁଇ ଶ୍ରେଣୀର ଲୋକଙ୍କର ନିହାତି ଭାବରେ ଆରଟି-ପିସିଆର ପରୀକ୍ଷା କରାଯିବା ଉଚିତ, ତାହା ଉଲ୍ଲେଖ ରହିଛି। ଗାଇଡଲାଇନ ଅନୁଯାୟୀ, ଆରଏଟି ପରୀକ୍ଷାରେ ନେଗେଟିଭ ଆସିଥିବା ସମସ୍ତ ଲକ୍ଷଣଗତ ରୋଗୀ ଏବଂ ଲକ୍ଷଣ ନ ଥିବା ରୋଗୀ, ଯେଉଁମାନଙ୍କ ଶରୀରରେ ରିପୋର୍ଟ ନେଗେଟିଭ ଆସିବାର ୨-୩ଦିନ ମଧ୍ୟରେ ଲକ୍ଷଣ ଦେଖାଦେଉଛି, ସେମାନଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମଆର ମିଳିତ ଭାବେ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଚିଠି ଲେଖିଛନ୍ତି ଏବଂ ଆରଟି- ପିସିଆର ପରୀକ୍ଷା ବ୍ୟବହାର କରି ଆରଏଟି ପରୀକ୍ଷାରେ ନେଗେଟିଭ ଆସିଥିବା ସମସ୍ତ ଲକ୍ଷଣଗତ ରୋଗୀଙ୍କ ବାଧ୍ୟତାମୂଳକ ଭାବେ ପୁନଃ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଅନୁରୋଧ କରିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ (ଏକ ନିର୍ଦ୍ଦିଷ୍ଟ ଅଧିକାରୀ କିମ୍ବା ଏକ ଟିମ୍) ଏବଂ ରାଜ୍ୟ ସ୍ତରରେ ଏକ ମନିଟରିଂ ମେକାନିଜିମ୍ ପ୍ରତିଷ୍ଠା କରନ୍ତୁ। ଏହି ଦଳଗୁଡିକ ଜିଲ୍ଲା ତଥା ରାଜ୍ୟରେ ପ୍ରତିଦିନ କରାଯାଉଥିବା ଆରଏଟିର ସବିଶେଷ ବିଶ୍ଳେଷଣ କରିବେ ଏବଂ ସମସ୍ତ ଆରଏଟି ପରୀକ୍ଷାରେ ନେଗେଟିଭ ଆସିଥିବା ସମସ୍ତ ଲକ୍ଷଣଗତ ରୋଗୀଙ୍କ ପୁନଃ ପରୀକ୍ଷା କରାଯାଉଛି କି ନାହିଁ ନିଶ୍ଚିତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Covid_testing_PTI.jpg)