୫ ବର୍ଷରେ କେନ୍ଦ୍ର ୭ଟି ସହରର ନାମ ପରିବର୍ତ୍ତନ ପାଇଁ ଅନୁମତି ଦେଇଛି

ନୂଆଦିଲ୍ଲୀ : ଗତ ପାଞ୍ଚବର୍ଷରେ କେନ୍ଦ୍ର ସରକାର ଦେଶର ୭ଟି ନଗର ବା ସହରର ନାମ ପରିବର୍ତ୍ତନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ବୋଲି ମଙ୍ଗଳବାର ଲୋକସଭାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ପଶ୍ଚିମବଙ୍ଗକୁ ବାଂଲା ନାମରେ ନାମିତ କରିବା ପାଇଁ ମଧ୍ୟ ଏକ ପ୍ରସ୍ତାବ ରାଜ୍ୟ ସରକାର ଦେଇଛନ୍ତି। ପ୍ରଥମେ ବଙ୍ଗଳା, ଇଂଲିଶ ଓ ହିନ୍ଦୀରେ ଅଲଗା ଅଲଗା ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ସରକାର ପ୍ରସ୍ତାବ ଦେଇଥିଲେ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ୨୦୧୬ରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗକୁ ଇଂଲିଶରେ ବେଙ୍ଗଲ, ବଙ୍ଗଳାରେ ବାଂଲା ଓ ହିନ୍ଦୀରେ ବଙ୍ଗାଲ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ପଶ୍ଚିମବଙ୍ଗ ବିଧାନସଭାରେ ୨୦୧୮ ଜୁଲାଇ ୨୬ରେ ପଶ୍ଚିମବଙ୍ଗର ନାମ ‘ବାଂଲା’କୁ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ଗୃହୀତ ହେବା ପରେ ଏହି ନାମ ପରିବର୍ତ୍ତନ ପାଇଁ ପୁଣିଥରେ ଆନୁଷ୍ଠାନିକ ପ୍ରସ୍ତାବ ଆସିଥିଲା। ଉକ୍ତ ରାଜ୍ୟ ଓ ସାତଟା ସହରର ନାମ ଛଡ଼ା ମଧ୍ୟପ୍ରଦେଶର ନସରୁଲ୍ଲାଗଞ୍ଜ ନଗରର ନାମ ଭୈରୁଣ୍ଡା ଭାବେ ପରିବର୍ତ୍ତନ ପାଇଁ ଗତ ଏପ୍ରିଲ ମାସରେ ପ୍ରସ୍ତାବ ଆସିଥିବା ମନ୍ତ୍ରୀ କହିଥିଲେ।

୨୦୧୮ ଡିସେମ୍ବର ୧୫ରେ ଉତ୍ତରପ୍ରଦେଶର ଆଲ୍ଲାହାବାଦ ନାମକୁ ବଦଳାଇ ପ୍ରୟାଗରାଜ କରିବାକୁ ଅନୁମତି ଦିଆଯାଇଥିଲା। ସେହିପରି ୨୦୧୭ରେ ଆନ୍ଧ୍ରପ୍ରଦେଶର ରାଜମଣ୍ଡ୍ରି ବଦଳରେ ରାଜମହେନ୍ଦ୍ରମ୍, ୨୦୧୮ରେ ଝାଡ଼ଖଣ୍ଡର ନଗର ଉଣ୍ଟାରୀ ବଦଳରେ ଶ୍ରୀବଂଶୀଧର ନଗର, ମଧ୍ୟପ୍ରଦେଶର ବୀରସିଂହପୁର ପାଲି ବଦଳରେ ମାଆ ବୀରାସିନୀ ଧାମ, ୨୦୨୧ରେ ମଧ୍ୟପ୍ରଦେଶର ହୋଶାଙ୍ଗାବାଦ ନଗର ବଦଳରେ ନର୍ମଦାପୁରମ୍, ବାବାଇ ବଦଳରେ ମାଖନ ନଗର ଏବଂ ୨୦୨୨ରେ ପଞ୍ଜାବର ଶ୍ରୀହରଗୋବିନ୍ଦପୁର ବଦଳରେ ଶ୍ରୀ ହରଗୋବିନ୍ଦପୁର ସାହିବ ଭାବେ ପରିବର୍ତ୍ତନ ପାଇଁ ଅନୁମତି ମିଳିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର