କୋଭିଡ୍‌ ସମୟରେ ଓଡ଼ିଶାକୁ କେନ୍ଦ୍ର ଦେଇଛି ୨୨ ହଜାର କୋଟି: ଧର୍ମେନ୍ଦ୍ର

ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ପୁଣି ଅନୁରୋଧ କଲେ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀ ସମୟରେ ଓଡିଶା ପାଇଁ କେନ୍ଦ୍ର ସରକାର ୨୨ ହଜାର ୨୬୭ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଏ ନେଇ ବିସ୍ତୃତ ସୂଚନା ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଭିଡ୍‌-୧୯ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ପ୍ୟାକେଜରେ ଓଡିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସହିତ ଚାଉଳ, ଡାଲି ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି। ଶ୍ରୀ ପ୍ରଧାନଙ୍କ କହିଥିଲେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୩.୧୭ କୋଟି ହିତାଧିକାରୀଙ୍କୁ ମାସିକ ୫ କେ.ଜି. ଚାଉଳ ପ୍ରଦାନ କରାଯାଇଛି। ଏ ନେଇ କେନ୍ଦ୍ରସରକାରଙ୍କ ଦ୍ବାରା ରାଜ୍ୟକୁ ମୋଟ ୭ ଲକ୍ଷ ୫୧ ହଜାର ୯୩୦ ଟନ ଚାଉଳ ଓଡିଶାକୁ ପ୍ରଦାନ କରାଯାଇଛି। ଓଡିଶାର ୯୨.୮୫ ଲକ୍ଷ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ମୋଟ ୪୪ ହଜାର ୧୩୦ ଟନ ଡାଲି ଯୋଗାଇ ଦେଇଛନ୍ତି।

କେବଳ ସେତିକି ନୁହେଁ, ଜନଧନ ଯୋଜନା ଅନ୍ତର୍ଗତ ଓଡିଶା ପାଇଁ ମୋଟ ୧୨୫୮.୦୨ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଯାହାଦ୍ବାରା ଓଡିଶାର ୮୫.୨୦ ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି। ସେ କହିଥିଲେ, ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଅନ୍ତର୍ଗତ ରାଜ୍ୟର ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟରେ ୨୦.୩ ଲକ୍ଷ ହିତାଧିକାରୀଙ୍କୁ ମୋଟ ୪୦୦.୬୩ କୋଟି ଟଙ୍କା ନିର୍ମାଣ ଶ୍ରମିକମାନଙ୍କ ପାଇଁ ୩୧୨.୪୯ କୋଟି ଟଙ୍କା, ଓଡିଶାର ୧.୫୪ ଲକ୍ଷ ଇପିଏଫ୍ଓ ଆକାଉଣ୍ଟଧାରୀଙ୍କୁ ଇ-ଚାଲାଣ କମ୍ ରସିଦ ଆକାରରେ ୫୯.୦୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଉଜ୍ବଳା ଯୋଜନା ଅନ୍ତର୍ଗତ ରାଜ୍ୟକୁ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ଜିଏସଟି କ୍ଷତିପୂରଣ ବାବଦରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୫ ହଜାର ୧୨୨ କୋଟି ଟଙ୍କା, ୨୦୨୦-୨୧ ବର୍ଷ ପାଇଁ ୨ ହଜାର ୨୫୮ କୋଟି ଟଙ୍କାର କ୍ଷତିପୂରଣ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି। କୋଭିଡ-୧୯ ପରିଚାଳନା ପାଇଁ ଓଡିଶା ସରକାରଙ୍କୁ ଡିଏମଏଫ ପାଣ୍ଠିରୁ ୬୪.୫ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯିବା ସହିତ, ଓଡିଶାର ନନ୍ ମିଲିୟନ ପ୍ଲସ ସିଟିକୁ ଅନୁଦାନ ଅମ୍ଫାନ ବାତ୍ୟା ପାଇଁ ସହାୟତା, ଜଳ ଜୀବନ ମିସନ ଅନ୍ତର୍ଗତ ଆର୍ଥିକ ଆବଣ୍ଟନ ମନରେଗା ଓ ପିଏମ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୪.୫୧ ଲକ୍ଷ ଜବକାର୍ଡ ଓ ଓଡିଶାରେ ୭୪.୪୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି।

କୋଭିଡ ପରିଚାଳନା ପାଇଁ ଓଡିଶାକୁ କେନ୍ଦ୍ର ସରକାର ୧୦୨ କୋଟି ଟଙ୍କା ପ୍ରଦାନ କରିଥିବା ଧର୍ମେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଓଡିଶାରେ କେନ୍ଦ୍ରୀୟ ରାଷ୍ଟାୟତ୍ତ ଉଦ୍ୟୋଗ-ନାଲକୋ, ଏମ୍‌ସିଏଲ୍‌, ଏନଟିପିସି, ଆଇଓସିଏଲ୍ ପକ୍ଷରୁ ଓଡିଶାର ବିଭିନ୍ନ ଜିଲ୍ଲାରେ କୋଭିଡ ହସପିଟାଲ ପ୍ରତିଷ୍ଠା କରାଯାଇଥିବାର ମଧ୍ୟ ସେ ସୂଚନା ଦେଇଥିଲେ।
ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଥିଲେ ନୂଆ କୃଷି ବିଲ କାରଣରୁ ଚାଷୀମାନେ ମଣ୍ଡି ସମେତ ବାହାରେ ବିକ୍ରି କରିବାକୁ ସାମର୍ଥ୍ୟ ହେବେ। ଏହି ନୂଆ ନୀତି ଆସିବା ଦ୍ବାରା ଯେ କୌଣସି ସ୍ଥାନରେ ଚାଷୀମାନେ କୃଷିଜାତ ସାମଗ୍ରୀ କିଣି ପାରିବେ ଓ ବିକ୍ରି କରିବାର ସ୍ବାଧୀନତା ପାଇବେ ଓ ସଠିକ ମୂଲ୍ୟ ପାଇପାରିବେ। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ଓଡିଶାର ପିଏସୟୁ କର୍ମଚାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା ପାଇଁ ସେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର