ନୂଆଦିଲ୍ଲୀ: କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍କୋର୍ଟଙ୍କୁ ଗୁରୁବାର ଅବଗତ କରାଇଛନ୍ତି ଯେ, ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି ଏବଂ ବର୍ତ୍ତମାନଠାରୁ ଯେକୌଣସି ସମୟରେ ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ।
କେନ୍ଦ୍ର ସରକାର କହିଥିଲେ ଯେ, ଜମ୍ମୁ-କାଶ୍ମୀରରେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ। ତିନିଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମେ ପଞ୍ଚାୟତ ନିର୍ବାଚନ, ତା’ପରେ ପୌର ନିର୍ବାଚନ ଏବଂ ଶେଷରେ ବିଧାନସଭା ନିର୍ବାଚନ। ତେବେ ବର୍ତ୍ତମାନ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦେଇହେବ ନାହିଁ। କିନ୍ତୁ ଏହାର କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଅସ୍ଥାୟୀ ବୋଲି ଏସ୍ଜି ମେହେଟ୍ଟା ସ୍ପଷ୍ଟ କରିଥିଲେ। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସ୍ଥିରତା ଓ ୨୦୧୯ର ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ଚେଷ୍ଟା ଚାଲିଛି ବୋଲି ସେ କହିଥିଲେ।
ମେହେଟ୍ଟା କହିଥିଲେ ଯେ, ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୪୨.୫ ପ୍ରତିଶତ ହ୍ରାସ ପାଇଛି। ଅନୁପ୍ରବେଶ ୯୦.୨୦ ପ୍ରତିଶତ କମିଛି। ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପଥରଫିଙ୍ଗା ୯୨ ପ୍ରତିଶତ କମିଛି। ଏଥି ସହ ସୁରକ୍ଷା କର୍ମୀଙ୍କ ମୃତାହତ ଘଟଣା ୬୯.୫ ପ୍ରତିଶତ ହ୍ରାସ ପାଇଛି।
କେନ୍ଦ୍ର ତରଫରୁ ଆହୁରି କୁହାଯାଇଥିଲା ଯେ, ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି। ଅନେକ ପ୍ରକଳ୍ପ କାମ ହାତକୁ ନିଆଯାଇଛି। ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ଦ୍ବାରା ବିଭ୍ରାନ୍ତ ଯୁବକମାନେ ଏବେ ନିଯୁକ୍ତିର ସୁଯୋଗ ପାଉଛନ୍ତି। ମେହେଟ୍ଟା କହିଥିଲେ, ୨୦୧୮ରେ ଜମ୍ମୁ-କାଶ୍ମୀରରେ ୧୭୬୧ଟି ପଥରଫିଙ୍ଗା ଘଟଣା ଘଟିଥିଲା। ବର୍ତ୍ତମାନ ତାହା ପ୍ରାୟ ନାହିଁ କହିଲେ ଚଳେ। କେବଳ ପୁଲିସ ଓ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଦ୍ବାରା ନୁହେଁ, ଏହା ଅନ୍ୟ ଉପାୟରେ ହାସଲ କରାଯାଇପାରିଛି। ୨୦୧୮ରେ ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ୫୨ଟି ସଂଗଠିତ ବନ୍ଦ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ତାହା ଶୂନ୍ୟକୁ ଖସିଆସିଛି। ୨୦୨୩ରେ ପ୍ରାୟ ଏକ କୋଟି ପର୍ଯ୍ୟଟକ ଉପତ୍ୟକାକୁ ଆସିଛନ୍ତି ବୋଲି ମେହେଟ୍ଟା କହିଥିଲେ।