ନୂଆଦିଲ୍ଲୀ: ଚୀନ୍ ଓ କେତେକ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଭାରତ ସରକାର ସମ‌ୟୋଚିତ ତତ୍ପରତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଦ୍ବାରା ବୈଠକ କରାଯାଇ ରାଜ୍ୟଗୁଡ଼ିକୁ ସତର୍କତା ନିର୍ଦ୍ଦେଶାବଳି ଜାରି କରାଯାଇଛି। ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆଗତ ଯାତ୍ରୀମାନଙ୍କର ନେଗେଟିଭ୍ କୋଭିଡ୍‌ ସାର୍ଟିଫିକେଟ ପ୍ରଦର୍ଶନକୁ ମଧ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି।

Advertisment

ଶନିବାର କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସମ୍ଭାବ୍ୟ ସଂକ୍ରମଣ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲଗୁଡ଼ିକରେ ଯଥେଷ୍ଟ ତରଳ ମେଡିକାଲ ଅକ୍ସିଜେନ, ଅକ୍ସିଜେନ ସିଲିଣ୍ଡର ଏବଂ ଭେଣ୍ଟିଲେଟର ପରି ଜୀବନ ରକ୍ଷାକାରୀ ଉପକରଣମାନ ଗଚ୍ଛିତ ରଖିବାକୁ ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସର ସ୍ବିଙ୍ଗ୍ ଆଡଜର୍ପସନ (ପିଏସ୍‌ଏ) ଅମ୍ଳଜାନ ଉତ୍ପାଦକ କାରଖାନାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ସହ ସେଗୁଡ଼ିକ ଠିକ୍ ଅଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ମକ୍ ଡ୍ରିଲ୍ କରିବାକୁ କୁହାଯାଇଛି। ଦିଲ୍ଲୀ ଏବଂ ମୁମ୍ବାଇର ନାଳ ନର୍ଦ୍ଦମାରୁ କରୋନା ଭାଇରସ୍‌ର ଆର୍‌ଏନ୍‌ଏ ମିଳିଥିବାରୁ ପ୍ରଶାସନ ଏ ଦିଗରେ ସର୍ବାଧିକ ସତର୍କ ରହି କାମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗନାନି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଏକ ଚିଠିରେ କହିଛନ୍ତି, ବର୍ତ୍ତମାନ ଦେଶରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ନଗଣ୍ୟ ହୋଇଥିଲେ ମଧ୍ୟ ଭବିଷ୍ୟତର ଯେକୌଣସି ପ୍ରକାର ପରିସ୍ଥିତି ପାଇଁ ହସ୍ପିଟାଲଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଦରକାର। ଏଥିପାଇଁ ହସ୍ପିଟାଲଗୁଡ଼ିକର ଭିତ୍ତିଭୂମି ଓ ଯନ୍ତ୍ରପାତିଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେବାକୁ ସେ ଉକ୍ତ ଚିଠିରେ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ ସମସ୍ତ କ୍ଳିନିକାଲ ସେଟିଂ (ଡାକ୍ତରଖାନା)ରେ ମେଡିକାଲ ଅକ୍ସିଜେନ ଏକ ଗୁରୁତ୍ବପୂର୍ଣ୍ଣ ସମ୍ପଦ। ବିଶେଷତଃ ମହାମାରୀ ସମୟରେ ରୋଗୀ ଚିକିତ୍ସା ଓ କୋଭିଡ୍-୧୯ ପରିଚାଳନାରେ ନିର୍ଭରଯୋଗ୍ୟ ଅକ୍ସିଜେନ ଯୋଗାଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବୀୟ ମଧ୍ୟ ସମସ୍ତ ରାଜ୍ୟକୁ କୋଭିଡ୍-୧୯ ସର୍ଭେଲାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା, ପରୀକ୍ଷଣ ବଢ଼ାଇବା ଏବଂ ଡାକ୍ତରଖାନା ଭିତ୍ତିଭୂମିଗୁଡ଼ିକର ସଦା ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଲାଗି ପରାମର୍ଶ ଦେଇଥିଲେ। ରାଜ୍ୟଗୁଡ଼ିକର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ମନିଟର କରିବା ଏବଂ ଡାକ୍ତରଖାନାଗୁଡ଼ିକର ଭିତ୍ତିଭୂମି ପ୍ରସ୍ତୁତ ରଖିବା ଓ ଜରୁରୀ ଔଷଧପତ୍ର ମହଜୁଦ ରଖିବା ପାଇଁ କହିଥିଲେ। ଏବେ ପ୍ରତି ୧୦ ଲକ୍ଷ ଲୋକରେ ଜଣଙ୍କର ପରୀକ୍ଷା ହେଉଥିବା ବେଳେ ଏହି ସଂଖ୍ୟା ବୃଦ୍ଧି କରିବା ଏବଂ ଆର୍‌ଟି-ପିସିଆର୍ ଟେ‌ଷ୍ଟ ମଧ୍ୟ ବଢ଼ାଇବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଥିଲେ।