ନୂଆଦିଲ୍ଲୀ : କୋରନା କାଳରେ ସାମ୍ଭବ୍ୟ ବାତ୍ୟାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ଏହାର ମୁକାବିଲାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସମଗ୍ର ସ୍ଥିତି ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଦ୍ୱାରା ଓଡ଼ିଶା ସମେତ ୫ଟି ରାଜ୍ୟକୁ କୋଭିଡ୍ ସମୟରେ କିଭଳି ସତର୍କତା ପାଳନ କରାଯିବ ସେନେଇ ୧୫ ସୂତ୍ରୀ ପଦକ୍ଷେପ ସମ୍ପର୍କରେ ଅବଗତ କରାଯିବା ପରେ କେନ୍ଦ୍ର ସରକାରଙ୍କ ଅନ୍ୟ କିଛି ବିଭାଗମାନଙ୍କ ପକ୍ଷରୁ ମଧ୍ୟ ପ୍ରଭାବିତ ରାଜ୍ୟମାନଙ୍କୁ ଆଡ୍ଭାଇଜରି ପଠାଯିବ ବୋଲି ଜଣାପଡ଼ିଛି।
ବାତ୍ୟା ସମୟରେ ମୁଖ୍ୟତଃ ବିଦ୍ୟୁତ ସେବା ବ୍ୟାଘାତ ହେବାର ପ୍ରବଳ ସମ୍ଭାବନା ଥିବା ଯୋଗୁଁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରଭାବିତ ରାଜ୍ୟମାନଙ୍କର ଅଧିକାରୀମାନଙ୍କ ସହିତ ଆଗୁଆ ବିଚାରବିମର୍ଶ କରାଯାଇ ଉପଯୁକ୍ତ ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯିବ। କୋଭିଡ୍ ସମୟରେ ଆସୁଥିବା ବାତ୍ୟା ପାଇଁ ହସ୍ପିଟାଲ ମାନଙ୍କରେ କିଭଳି ନିରଚ୍ଛନ୍ନ ପାୱାର ସପ୍ଲାଇ ରହିବ ସେନେଇ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ରାଜ୍ୟମାନଙ୍କ ସହିତ ସହଯୋଗର ଆବଶ୍ୟତାକୁ ନେଇ ବିଚାରବିର୍ଶ କରିବେ। ମିଳିଥିବା ସୂଚନା ଅନୁସାରେ ସାମ୍ଭବ୍ୟ ବାତ୍ୟାର ସୂଚନା ଭାରତୀୟ ପାଣିପାଗ ବିଭାଗରୁ ହସ୍ତଗତ ହେବା ପରଠାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପିରିସ୍ଥିତି ଉପରେ ନଜର ରଖାଯାଇଛି।
ରାଜ୍ୟମାନଙ୍କର ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ତତ୍ପର ରହିଛନ୍ତି। ବିଶେଷକରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ରାଜ୍ୟମାନଙ୍କ ଠାରୁ ଆଗୁଆ ସୂଚନା ଉପଲବ୍ଧ କରାଯିବ। ଇତିମଧ୍ୟରେ ବିଭିନ୍ନ କେନ୍ଦ୍ରୀୟ ବିଭାଗକୁ ପ୍ରଭାବିତ ରାଜ୍ୟମାନଙ୍କ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ରଣନୀତିକୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଭାବିତ ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଜି ଆଲୋଚନା କରିଛନ୍ତି।
ଏନ୍ଡିଆରଏଫ୍ ର କେତୋଟି ଟିମ୍କୁ ପ୍ରଭାବିତ ସ୍ଥଳକୁ ପଠାଯିବ ସେନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ ହିସାବରେ ଚୂଡ଼ାନ୍ତ କରାଯିବ ବୋଲି ଏନ୍ଡିଆରଏଫ୍ ର ମହାନିର୍ଦ୍ଦେଶକ (ଡିଜି) ସତ୍ୟନାରାୟଣ ପ୍ରଧାନ କହିଛନ୍ତି। ଏତଦ୍ବ୍ୟତୀତ ସାମ୍ଭବ୍ୟ ବାତ୍ୟା ମୁକାବିଲାରେ ସହାୟତା କରିବା ପାଇଁ ବାୟୁସେନାର ହେଲିକପ୍ଟର କୋଷ୍ଟଗାର୍ଡ, ସେନା ତଥା ନୌସେନାର ଆବଶ୍ୟକତା ପାଇଁ ରାଜ୍ୟର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ଜଣାପଡ଼ିଛି।