ଟିକା ନୀତିରେ ନ୍ୟାୟିକ ହସ୍ତକ୍ଷେପକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ : କରୋନା ଟିକା ନୀତିରେ ନ୍ୟାୟପାଳିକାର ହସ୍ତକ୍ଷେପକୁ କେନ୍ଦ୍ର ସରକାର ଏକପ୍ରକାର ବିରୋଧ କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ରାତିରେ ୨୧୮ ପୃଷ୍ଠାର ସତ୍ୟପାଠ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଛି। ଏଥିରେ ସରକାରଙ୍କ ଟିକା ନୀତିକୁ ଠିକ୍ ବୋଲି ଦର୍ଶାଯାଇଛି। ଏଥିସହିତ ଟିକା ନୀତିରେ ନ୍ୟାୟିକ ହସ୍ତକ୍ଷେପ କରାଗଲେ ଏହା ଅପ୍ରତ୍ୟାଶିତ ଏବଂ ଅବାଞ୍ଛିତ ପରିଣତିକୁ ଡାକି ଆଣିପାରେ ବୋଲି ସରକାର ଯୁକ୍ତି ବାଢ଼ିଛନ୍ତି।

ଟିକା ମୂଲ୍ୟରେ ରହୁଥିବା ପାର୍ଥକ୍ୟ, ଟିକାର ଅଭାବ ଏବଂ ଟିକାକରଣର ମନ୍ଥରତା ଆଦି କାରଣକୁ ନେଇ ଗତ ସପ୍ତାହରେ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ଶପଥପାଠ ଦାଖଲ କରିଛନ୍ତି। ଆଜି ଏହା ଉପରେ ଶୁଣାଣି ହୋଇଥିଲା। କିନ୍ତୁ ଦୁଇ ମିନିଟ ମଧ୍ୟରେ ବୈଷୟିକ ଅସୁବିଧା ଯୋଗୁଁ ଡିଜିଟାଲ ମୋଡ୍‌ରେ ବିଚାର ପ୍ରକ୍ରିୟା ଆଗକୁ ବଢ଼ି ପାରି ନଥିଲା। ତେଣୁ ଶୁଣାଣିକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ତେବେ ସତ୍ୟପାଠରେ ଟିକା ନୀତିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଯାଇଛି। ଏହାସହିତ ସତର୍କ କରି ଦିଆଯାଇଛି ଯେ ମାତ୍ରାଧିକ ନ୍ୟାୟିକ ହସ୍ତକ୍ଷେପ ରହିଲେ ତାହାର ଅପ୍ରତ୍ୟାଶିତ ଏବଂ ଅବାଞ୍ଛିତ ପରିଣାମ ଦେଶକୁ ଭୋଗିବାକୁ ପଡ଼ିପାରେ। ଏଥିରେ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଘର ଘର ବୁଲି ଟିକାକରଣ ସମ୍ଭବ ନୁହେଁ।

ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଏଲ ଏନ ରାଓ ଏବଂ ବିଚାରପତି ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କଉ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।

କେନ୍ଦ୍ରର ସତ୍ୟପାଠରେ କୁହାଯାଇଛି ଯେ ଦୁଇଟି ଯାକ ଟିକା ନିର୍ମାତାଙ୍କ ସହିତ ସରକାରଙ୍କ ଆଲୋଚନା ପରେ ଦେଶରେ ଟିକାର ମୂଲ୍ୟ ଦେଶବ୍ୟାପୀ ସମାନ ରହିଛି। ସମ୍ବିଧାନର ଧାରା ୧୪ (ଆଇନ ଆଗରେ ସମସ୍ତେ ସମାନ) ଏବଂ ଧାରା ୨୧ ( ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତା) ଯେଭଳି ସୁରକ୍ଷିତ ରହେ ତାହା ନିଶ୍ଚିତ କରିବା ପାଇଁ ଟିକା ମୂଲ୍ୟର ପୁନର୍ବିଚାର କରିବା ନିମନ୍ତେ ସୁପ୍ରିମ କୋର୍ଟ ଗତ ସପ୍ତାହରେ ସରକାରଙ୍କୁ କହିଥିଲେ। କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲକୁ ଟିକା ବିକ୍ରି ଦରରେ ପାର୍ଥକ୍ୟ ରହିବା ପରେ ସୁପ୍ରିମ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ର ସରକାରଙ୍କୁ ସିରମ୍ ଏବଂ ଭାରତ ବାୟୋଟେକ୍ ସେମାନଙ୍କ ଦୁଇଟି ଯାକ ଟିକାକୁ ୧୫୦ ଟଙ୍କା ଲେଖାଏଁରେ ଯୋଗାଇ ଦେଉଛନ୍ତି। କିନ୍ତୁ ଭାରତ ବାୟୋଟେକ୍ ଏହାର କୋଭାକ୍ସିନ ଟିକା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଡୋଜ୍ ପିଛା ୪୦୦ ଏବଂ ଘରୋଇ ହସ୍ପିଟାଲଠାରୁ ୧୨୦୦ ଟଙ୍କା ନେଉଛି। ସେହିଭଳି ସିରମ୍ ଏହାର କୋଭିସିଲଡ ଟିକା ପାଇଁ ରାଜ୍ୟ ସରକାରଙ୍କଠାରୁ ଡୋଜ୍ ପିଛା ୩୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ଠାରୁ ୬୦୦ ଟଙ୍କା ନେଉଛି। ରାଜ୍ୟ ଏବଂ ଘରୋଇ ହସ୍ପିଟାଲ ପାଇଁ ପ୍ରଥମେ ଟିକା ଡୋଜ୍‌ର ମୂଲ୍ୟ କମ୍ପାନି ଦ୍ବୟ ଅଧିକ ରଖିଥିଲେ। କିନ୍ତୁ ବିଭିନ୍ନ ଆଡ଼ୁ ସମାଲୋଚନା ହେବା ପରେ ଏହାର ମୂଲ୍ୟକୁ କମାଯାଇଛି।

କେନ୍ଦ୍ର ସରକାର ଟିକା ନିର୍ମାତାଙ୍କ ଠାରୁ ୫୦ ପ୍ରତିଶତ ଟିକା ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଇ ଦେବେ ବୋଲି କହିଥିଲେ। କିନ୍ତୁ ଅବଶିଷ୍ଟ ୫୦ ପ୍ରତିଶତ ଟିକାର ମୂଲ୍ୟ ସମ୍ପର୍କରେ କେନ୍ଦ୍ର ସରକାର ପାଟି ଖୋଲି ନଥିଲେ। ଦେଶରେ ବର୍ତ୍ତମାନ ଉପରୋକ୍ତ ଦୁଇଟି ଟିକା ଲୋକଙ୍କୁ ଦିଆଯାଉଛି। ଏଥିସହିତ ରୁଷିଆ ନିର୍ମିତ ସ୍ପୁଟନିକ୍-ଭି ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଲୋକଙ୍କୁ ଏହି ଟିକା ଖୁବଶୀଘ୍ର ମିଳିବ ବୋଲି ଆଶା କରାଯାଉଛି। ଏଥିସହିତ ଫାଇଜର, ମଡର୍ଣ୍ଣା ଏବଂ ଜନସନ୍ ଆଣ୍ଡ୍ ଜନସନ ଭଳି କମ୍ପାନି ସହିତ ସେମାନଙ୍କ ଟିକା ଆଣିବା ଲାଗି କଥାବାର୍ତ୍ତା ଚାଲିଛି ବୋଲି ସରକାର ସତ୍ୟପାଠରେ କହିଛନ୍ତି।

ସମ୍ବନ୍ଧିତ ଖବର