ରାଜ୍ୟମାନଙ୍କୁ ୨୦କୋଟିରୁ ଅଧିକ ଟିକା ଦିଆଯାଇଛି

ନୂଆଦିଲ୍ଲୀ: ଗତ ଜାନୁଆରି ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ବିଶ୍ବର ବୃହତ୍ତମ ଗଣଟିକାକରଣ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ କୋଭିଡ୍‌ ଟିକା ଯୋଗାଇ ଆସୁଛନ୍ତି। ଏଥି ସହିତ ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଦ୍ରୁତ ଟିକାକରଣ ହିଁ ସମୟୋଚିତ ପଦକ୍ଷେପ ହୋଇଥିବାରୁ ଏଥିପାଇଁ ସରକାର ଦେଶରେ ଟିକା ଉତ୍ପାଦନକୁ ତ୍ବରାନ୍ବିତ କରିବା ସହ ଏହାର ପରିବହନ ଓ ଯୋଗାଣକୁ ମଧ୍ୟ ସୁଗମ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟମାନଙ୍କୁ ୨୦ କୋଟିରୁ ଅଧିକ(୨୦,୭୬,୧୦,୨୩୦) ଟିକାର ମାତ୍ରା ଯୋଗାଇ ସାରିଥିବା ଜଣାଯାଇଛି।

ସେଥି ମଧ୍ୟରୁ ମହାରାଷ୍ଟ୍ରକୁ ସର୍ବାଧିକ ୨,୦୧,୫୪,୯୩୦ଟି ଟିକାର ମାତ୍ରା ଦିଆଯାଇଥିବା ବେଳେ ତାହା ପଛକୁ ଉତ୍ତରପ୍ରଦେଶକୁ ୧,୭୪,୫୦,୦୧୦, ଗୁଜରାଟକୁ ୧,୬୨,୦୪,୭୩୦, ରାଜସ୍ଥାନକୁ ୧,୬୦,୮୯,୮୨୦, ପଶ୍ଚିମବଙ୍ଗକୁ ୧,୩୪,୮୩,୬୪୦, କର୍ଣ୍ଣାଟକକୁ ୧,୧୮,୯୭,୪୪୦ ଓ ମଧ୍ୟପ୍ରଦେଶକୁ ୧,୦୭,୫୧,୦୧୦ ସଂଖ୍ୟକ ଟିକାର ମାତ୍ରା ଦିଆଯାଇଛି। ତେବେ ରାଜ୍ୟମାନେ ଗତ ୧୬ ତାରିଖ ସୁଦ୍ଧା ନଷ୍ଟ ହୋଇଥିବା ମାତ୍ରାକୁ ମିଶାଇ ମୋଟ ୧୮,୭୧,୧୩,୭୦୫ଟି ମାତ୍ରା ବିନିଯୋଗ କରିସାରିଥିବା ବେଳେ ସେମାନଙ୍କ ପାଖରେ ଆହୁରି ୨ କୋଟିରୁ ଅଧିକ( ୨,୦୪,୯୬,୫୨୫) ମାତ୍ରା ଗଚ୍ଛିତ ରହିଥିବା ଜଣାଯାଇଛି। ଏଥି ସହିତ ଆହୁରି ୩ ଲକ୍ଷ ପାଖାପାଖି(୨,୯୪,୬୬୦) ବିଭିନ୍ନ କମ୍ପାନିର କୋଭିଡ୍‌ ଟିକା ପରିବହନ ବାଟରେ ରହିଥିବା ବେଳେ ଆଗାମୀ ଦୁଇ ତିନି ଦିନ ଭିତରେ ରାଜ୍ୟମାନେ ତାହା ପାଇଯିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧିତ ଖବର