କେନ୍ଦ୍ର ଯୋଗାଇଛି ୧.୨୮ କୋଟିରୁ ଅଧିକ ପିପିଇ କିଟ୍ସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କୋଭିଡ-୧୯ର ମୁକାବିଲା ପାଇଁ ପଦକ୍ଷେପ ସ୍ବରୂପ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ୧.୨୮ କୋଟି ମାଗଣାରେ ପ୍ରଦାନ କରିଛନ୍ତି ।

କୋଭିଡ୍‌-୧୯ କେତେବେଳେ ତାହାର କାୟା ବିସ୍ତାର କରିବା ଆରମ୍ଭ କଲା, ସେତେବେଳେ ବିଶ୍ଵବ୍ୟାପୀ ଏନ-୯୫ ମାସ୍କ, ପିପିଇ କିଟ୍ସ ଓ ଭେଣ୍ଟିଲେଟର ସହିତ ଅନ୍ୟାନ୍ୟ ଡାକ୍ତରୀ ଉପକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ପ୍ରଥମତଃ ଅଧିକାଂଶ ସାମଗ୍ରୀ ଦେଶରେ ତିଆରି ହେଉନଥିଲା । ଏଥିପାଇଁ ଆବଶ୍ୟକ ଯନ୍ତ୍ରାଂଶ ବାହାରୁ ଆମଦାନୀ କରିବାକୁ ପଡୁଥିଲା । ବୈଶ୍ଵିକ ମହାମାରୀ ଯୋଗୁଁ ବୈଦେଶିକ ବଜାରରେ ମଧ୍ୟ ସେ ସମସ୍ତ ଉପକରଣର ଚାହିଦା ବୃଦ୍ଧି ପାଇଲା ।

ବୈଶ୍ଵିକ ମହାମାରୀକୁ ଏକ ସୁଯୋଗ ଭାବେ ବିବେଚନା କରି ଦେଶରେ ଏହି ମେଡିକାଲ ଉପକରଣମାନ ପ୍ରସ୍ତୁତ କରିବାକୁ ସ୍ଥିର ହେଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୟନ ଓ ଫର୍ମାସ୍ୟୁଟିକାଲ ମନ୍ତ୍ରାଳୟ, ଶିଳ୍ପ ପ୍ରସାର ଏବଂ ଆନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବିଭାଗ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଅନ୍ୟମାନେ ମିଳିମିଶି ନିଜର ନିର୍ମାଣ ଦକ୍ଷତା ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଲେ ।

ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ମେକ-ଇନ-ଇଣ୍ଡିଆର ସଂକଳ୍ପ ଯୋଗୁଁ ଭାରତ ପିପିଇ କିଟ୍ସ ସମେତ ଡାକ୍ତରୀ ଉପକରଣ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି । କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପିପିଇ, ଏନ-୯୫ ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ଯୋଗାଉଥିବା ବେଳେ କେତେକ ରାଜ୍ୟ ଏହା ସିଧାସଳଖ ମଗାଉଛନ୍ତି । ସେମାନେ ଗତ ମାର୍ଚ୍ଚରୁ ଅଗଷ୍ଟ ମାସ ମଧ୍ୟରେ ୧.୪୦ କୋଟି ସ୍ଵଦେଶୀ ପିପିଇ କିଟ୍ସ ନିଜସ୍ଵ ବଜେଟ ଅର୍ଥରୁ କିଣିଛନ୍ତି । ଏହି ସମୟ ମଧ୍ୟରେ କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ୧.୨୮ କୋଟି ମାଗଣା ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର